ବିଶ୍ବବିଦ୍ୟାଳୟ ପାଇଁ ଏକକ ଆଦର୍ଶ ପାଠ୍ୟକ୍ରମ : ଆରବର୍ଷକୁ ଆଡ୍‌ମିସନ ପାଇଁ କମନ ଟେଷ୍ଟ

୧୦୧ କଲେଜରେ ସ୍ମାର୍ଟ କ୍ଲାସ୍‌ରୁମ୍‌, ଆଇଏଏସ୍‌ କୋଚିଂ ପାଇଁ ଏମ୍‌ଓୟୁ ସ୍ବାକ୍ଷରିତ

ଭୁବନେଶ୍ୱର : ଏଣିକି ସବୁ ବିଶ୍ବବିଦ୍ୟାଳୟ ପାଇଁ ଏକକ ଆଦର୍ଶ ପାଠ୍ୟକ୍ରମ। ୧୦୧ କଲେଜରେ ଖୋଲିବ ସ୍ମାର୍ଟ କ୍ଲାସ୍‌ରୁମ୍‌। କମ୍ପ୍ୟୁଟର, କ୍ୟାମେରା, ପ୍ରୋଜେକ୍ଟର, ଭିଜୁଆଲାଇଜର, ମାଇକ୍ରୋଫୋନ୍‌ ସହ ଅଡିଓ-ଭିଜୁଆଲ ଇମ୍ପାକ୍ଟ ଜରିଆରେ ପିଲା ପାଠ ପଢ଼ିବେ। ସମାନତା ଓ ଗୁଣାତ୍ମକ ଶିକ୍ଷାକୁ ଗୁରୁତ୍ବ ଦେଇ ରାଜ୍ୟ ସରକାର ଏଭଳି ଘୋଷଣା କରିଛନ୍ତି। ତା ଛଡ଼ା ପ୍ରାଶାସନିକ ସେବା କ୍ଷେତ୍ରରେ ପୂର୍ବରୁ ଓଡ଼ିଆମାନେ ବେଶ୍‌ ସଫଳତା ପାଉଥିବା ବେଳେ ଏବେ ଏହି ସଂଖ୍ୟା କମି ଯାଉଥିବାରୁ ଉଦ୍‌ବେଗ ପ୍ରକାଶ ପାଇଛି। ଏଥିପାଇଁ ସରକାର ସୁବର୍ଣ୍ଣ ସୁଯୋଗ ସୃଷ୍ଟି କରିଛନ୍ତି। ସରକାର ମାଗଣାରେ କୋଚିଂ ଦେବା ପାଇଁ ଯୋଜନା କରିଛନ୍ତି। ଆଜି ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍‌ ଜରିଆରେ ସୂଚନା ଦେଇଥିବା ବେଳେ ଉଚ୍ଚଶିକ୍ଷା ବିଭାଗ ଟିସିଆଇଏଲ୍‌ ଓ ଧେୟ ଏଜୁକେସନାଲ ସର୍ଭିସେସ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ସହ ବୁଝାମଣାପତ୍ର ସ୍ବାକ୍ଷର କରିଛି। ଜୟଦେବ ଭବନର ଗୀତଗୋବିନ୍ଦ କକ୍ଷରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏହି ଅନୁଷ୍ଠାନର ମୁଖ୍ୟଙ୍କ ସହ ଉଚ୍ଚଶିକ୍ଷା ସଚିବ ବିଷ୍ଣୁପଦ ସେଠୀ ଭାରତ ସରକାରଙ୍କ ଯୋଗାଯୋଗ ମନ୍ତ୍ରାଳୟର ଟିଆଇସିଏଲ୍‌ଗ୍ରୁପ୍‌ ଜେନେରାଲ ମ୍ୟାନେଜର ରାଜୀବ ସାହାଣୀଙ୍କ ସହ ଏହି ପତ୍ର ସ୍ବାକ୍ଷର କରିଥିବା ବେଳେ ଏକକ ଆଦର୍ଶ ପାଠ୍ୟକ୍ରମକୁ ମନ୍ତ୍ରୀ ଅନନ୍ତ ଦାସ ଉନ୍ମୋଚିତ କରିଛନ୍ତି। ଏହା ଛଡ଼ା ସମସ୍ତ ବିଶ୍ବବିଦ୍ୟାଳୟରେ ନାମ ଲେଖା ପାଇଁ ଆସନ୍ତା ୨୦୨୦-୨୧ ଶିକ୍ଷାବର୍ଷରୁ ‘ଏକକ ନାମଲେଖା ପରୀକ୍ଷା’ ବ୍ୟବସ୍ଥା ଲାଗୁ ହେବ ବୋଲି ସଚିବ ସୂଚନା ଦେଇଛନ୍ତି।

ମନ୍ତ୍ରୀ ଅନନ୍ତ ଦାସ କହିଛନ୍ତି, ୨୦୧୭ ମସିହା ନଭେମ୍ବର ମାସରେ ସମସ୍ତ ବିଶ୍ବବିଦ୍ୟାୟର କୁଳପତିଙ୍କୁ ନେଇ ଆଲେଚାନା ହୋଇଥିଲା। ପୂର୍ବରୁ ଗୋଟିଏ ବିଶ୍ବବିଦ୍ୟାଳୟ ଥିବା ବେଳେ ରାଜ୍ୟରୁ ପ୍ରାଶାସନିକ ସେବା କ୍ଷେତ୍ରରେ ଢେର ସଫଳତା ମିଳୁଥିବା ବେଳେ ଏବେ ବିଶ୍ବବିଦ୍ୟାଳୟର ସଂଖ୍ୟା ବଢ଼ିଥିଲେ ମଧ୍ୟ ସଫଳତା ଆଶାନୁରୂପ ହେଉ ନାହିଁ। ବିବିଧ ପାଠ୍ୟକ୍ରମରେ ସମସ୍ୟା ଥିବାରୁ ସଫଳତା ହାର କମୁଥିବା ସୂଚନା ମିଳିଥିଲା। ଏହାକୁ ଦୃଷ୍ଟିରେ ରଖି ସ୍ନାତକସ୍ତରରେ ଏଭଳି ଏକକ ଆଦର୍ଶ ପାଠ୍ୟକ୍ରମ ପାଇଁ ସ୍ଥିର ହୋଇଥିଲା। ଏହା ଦ୍ବାରା ଜାତୀୟସ୍ତରରେ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷାରେ ରାଜ୍ୟର ଛାତ୍ରଛାତ୍ରୀ ସଫଳତା ପାଇବାର ସୁଯୋଗ ସୃଷ୍ଟି ହେବ। ସେହିଭଳି ୫୦ଟି ସରକାରୀ ଓ ୫୧ଟି ସରକାରୀ ଅନୁଦାନପ୍ରାପ୍ତ କଲେଜରେ ସ୍ମାର୍ଟ କ୍ଲାସ୍‌ରୁମ୍‌ ପ୍ରତିଷ୍ଠା ‌ହେବ। ଛାତ୍ରଛାତ୍ରୀମାନେ ଦୃଶ୍ୟ-ଶ୍ରାବ ଶିକ୍ଷାଦାନ ପ୍ରଣାଳୀ ତଥା ପରୀକ୍ଷାଧର୍ମୀ ଶିକ୍ଷାଗ୍ରହଣ କୌଶଳ ମାଧ୍ୟମରେ ଗୁଣାତ୍ମକ ଶିକ୍ଷାଲାଭ କରିପାରିବେ। ସେହିଭଳି ଆଇଏଏସ୍‌ କୋଚିଂ ପାଇଁ ଧ୍ୟେୟ ଏଜୁକେସନାଲ ସର୍ଭିସେସ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ନିର୍ଦ୍ଦେଶକ କମରୁଲ ହକ୍‌ ଖାନ୍‌ଙ୍କ ସହ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି। ବର୍ଷକୁ ଦୁଇଲକ୍ଷରୁ କମ୍‌ ଆୟ ଥିବା ପରିବାରର ପିଲାମାନେ ମାଗଣାରେ ଏଥିରେ କୋଚିଂ ନେବା ବ୍ୟବସ୍ଥା ଥିବା ବେଳେ ଅନ୍ୟପିଲାମାନଙ୍କ ପାଇଁ ହେଉଥିବା ଖର୍ଚ୍ଚର ୭୫ ପ୍ରତିଶତ ସରକାର ବହନ କରିବେ। ସମଗ୍ର ଭାରତବର୍ଷରେ ଏଭଳି ପଦକ୍ଷେପ ପ୍ରଥମ ବୋଲି ସେ ସୂଚନା ଦେଇଛନ୍ତି।

ପ୍ରାରମ୍ଭରେ ବିଭାଗୀୟ ଅତିରିକ୍ତ ଶାସନ ସଚିବ ଡ. ପାର୍ଥସାରଥୀ ମିଶ୍ର ସ୍ବାଗତ ଭାଷଣ ଦେଇଥିବା ବେଳେ ସଚିବ ବିଷ୍ଣୁପଦ ସେଠୀ କାର୍ଯ୍ୟକ୍ରମର ଲକ୍ଷ୍ୟ ସମ୍ବନ୍ଧରେ ସୂଚନା ପ୍ରଦାନ କରିଥିଲେ। ରାଜ୍ୟ ଉଚ୍ଚତର ଶିକ୍ଷା ପରିଷଦ ଉପାଧ୍ୟକ୍ଷ ଅଶୋକ ଦାସ ଏକକ ପାଠ୍ୟକ୍ରମ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ସୃଷ୍ଟି କରିବ ବୋଲି କହିଥିଲେ। ଉଚ୍ଚଶିକ୍ଷା ଅତିରିକ୍ତ ଶାସନ ସଚିବ କୃପାସିନ୍ଧୁ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର