ମାସିକ କୋଟିଏ ଟଙ୍କାର ଜିଏସ୍‌ଟି ଫାଙ୍କି!

ରାଜଗାଙ୍ଗପୁର: ରାଜଗାଙ୍ଗପୁର ୟୁନିଟ୍‌ରେ ପ୍ରତିମାସ ୧ କୋଟିରୁ ଅଧିକ ଟଙ୍କାର ଟିକସ ଚୋରି ହେଉଥିବା ଅନୁସଂଧାନରୁ ଜଣାପଡ଼ିଛି। ଏହି ୟୁନିଟ୍‌ ଅଧୀନରେ ରାଜଗାଙ୍ଗପୁର କୁତ୍ରା ଓ ବଡ଼ଗାଁ କାର୍ଯ୍ୟକରୁଛି। ଏହି ୟୁନିଟ୍‌ରେ ପୂର୍ବରୁ ବ୍ୟବସାୟୀମାନଙ୍କଠାରୁ ମାସିକ ୧ କୋଟି ଟଙ୍କାର ଭାଟ୍‌ ଆଦାୟ ହେଉଥିଲା। ବର୍ତ୍ତମାନ ବ୍ୟବସାୟୀମାନଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ବେଳେ ଟ୍ୟାକ୍ସ ଆଦାୟ ବୃଦ୍ଧି ପାଇନଥିବା ଜଣାପଡ଼ିଛି। ରାଜଗାଙ୍ଗପୁର ୟୁନିଟ୍‌ରେ ୧୫୦୦ରୁ ଅଧିକ ବ୍ୟବସାୟୀ ପଞ୍ଜୀକରଣ କରିଛନ୍ତି।

ପ୍ରତିମାସ ଏଠାରୁ ୩ କୋଟି ଟଙ୍କା ରାଜସ୍ବ ଆଦାୟ ଲକ୍ଷ୍ୟ ଥିବା ବେଳେ ୧.୮୦ରୁ ୨ କୋଟି ପର୍ଯ୍ୟନ୍ତ ରାଜସ୍ବ ମିଳୁଛି। ରାଜ୍ୟ ଓ କେନ୍ଦ୍ର ସରକାର ହାରାହାରି ୧ କୋଟି ଟଙ୍କାର ରାଜସ୍ବ ହରାଉଛନ୍ତି। ଏହା ପଛରେ ବିଭାଗକୁ ଦାୟୀ କରାଯାଉଛି। ରାଜଗାଙ୍ଗପୁର ୟୁନିଟ୍‌ ଅଧିକାରୀ ରାଜଗାଙ୍ଗପୁରରେ ନ ବସି ରାଉରକେଲାରେ ଥିବା ମୁଖ୍ୟ କାର୍ଯ୍ୟାଳୟରେ ରହି କାର୍ଯ୍ୟ କରୁଛନ୍ତି। ଯାହାଫଳରେ ବ୍ୟବସାୟ ପ୍ରତିଷ୍ଠାନ ସମେତ କଳକାରଖାନାମାନଙ୍କରେ ନିୟମିତ ଚଢ଼ାଉ କରାଯାଉନାହିଁ। ଅନ୍ୟପକ୍ଷରେ ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ ଗ୍ରାହକଙ୍କୁ ବିଲ୍‌ ନ ଦେବା ଯୋଗୁ ଟିକସ ଫାଙ୍କିବା ସହଜ ହେଉଛି। ବିଶେଷକରି କପଡ଼ା, ସିମେଣ୍ଟ, ବିଦ୍ୟୁତ୍‌ ସରଞ୍ଜାମ, ତେଜରାତି ଦୋକାନଗୁଡ଼ିକ ନଗଦ କାରବାର କରୁଥିବାରୁ ଟିକସ ଫାଙ୍କିବାକୁ ସୁଯୋଗ ମିଳୁଛି। ରାଜଗାଙ୍ଗପୁର ଓ ତାର ଆଖପାଖ ଅଞ୍ଚଳ‌କୁ ଛତିଶଗଡ଼ରୁ ନିୟମିତ ଭାବେ ବିନା ଜିଏସ୍‌ଟିରେ ବିଭିନ୍ନ ପଣ୍ୟସାମଗ୍ରୀ ଆସୁଛି। ଏହା ମଧ୍ୟ ଟିକସହାନିର ଆଉ ଏକ କାରଣ ବୋଲି ଜଣାପଡ଼ିଛି। ଏଣୁ ରାଜଗାଙ୍ଗପୁର ୟୁନିଟ୍‌ କାର୍ଯ୍ୟାଳୟରେ ଅଫିସର ନିୟୁକ୍ତି ସାଙ୍ଗକୁ ନିୟମିତ ଭାବେ ଚଢ଼ାଉ କରିବା ପାଇଁ ଦାବିହେଉଛି।

ସମ୍ବନ୍ଧିତ ଖବର