କୋଟିଏ ଲୋକଙ୍କୁ ପ୍ରଥମ ଡୋଜ୍‌ ଟିକା, ଦୁଇ ଡୋଜ୍ ଟିକା ନେଲେଣି ୨୨ଲକ୍ଷ ୧୯ହଜାର ୮୫୩ଜଣ

ଭୁବନେଶ୍ବର : ଜାନୁଆରି ୧୬ରୁ ଓଡ଼ିଶାରେ ଆରମ୍ଭ ହୋଇଥିବା କୋଭିଡ ଟିକାକରଣ ଆଜି ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି। ଟିକାକରଣର ୭ମାସ ନ ପୂରୁଣୁ ୧କୋଟି ୨୨ଲକ୍ଷ ୩୬ହଜାର ୪୮୩ ଡୋଜ୍‌ ଟିକା ଦିଆଯାଇଛି। ଏଥିରେ ୧କୋଟି ୧୬ହଜାର ୬୩୦ଜଣଙ୍କୁ ପ୍ରଥମ ଡୋଜ୍ ଟିକା ଦିଆଯାଇଥିବା ବେଳେ ୨୨ଲକ୍ଷ ୧୯ହଜାର ୮୫୩ଜଣ ଦ୍ବିତୀୟ ଡୋଜ୍ ନେଇଛନ୍ତି।

ରବିବାର ସୁଦ୍ଧା ୧କୋଟି ୭ଲକ୍ଷ ୫୩ହଜାର ୨୧ଜଣ କୋଭିସିଲ୍‌ଡ ଟିକା ନେଇଥିବା ବେଳେ ୧୪ଲକ୍ଷ ୮୩ହଜାର ୯୨ଜଣ କୋଭାକ୍ସିନ୍‌ ଟିକା ନେଇଛନ୍ତି। ସେହିପରି ଆଜି ସୁଦ୍ଧା ୬୬ଲକ୍ଷ ୧୦ହଜାର ୬୯୪ଜଣ ପୁରୁଷ ଟିକା ନେଇଥିବା ବେଳେ ୫୬ଲକ୍ଷ ୨୩ହଜାର ୫୭୫ଜଣ ମହିଳା ଟିକା ନେଇଛନ୍ତି।

ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର କହିଛନ୍ତି ଯେ ଆମେ ଆମର ସମସ୍ତ ଜନସଂଖ୍ୟାକୁ ଟିକାକରଣ ପାଇଁ ଅଗ୍ରସର ହେଉଥିବା ବେଳେ ଏଭଳି ସଫଳତା ପାଇଁ ରାଜ୍ୟବାସୀ ଓ ଉତ୍ସର୍ଗୀକୃତ ସ୍ବାସ୍ଥ୍ୟକର୍ମୀ ଧନ୍ୟବାଦର ପାତ୍ର।

ଅପରପକ୍ଷେ ରାଜ୍ୟ ସରକାର ପ୍ରତିଦିନ ୩ରୁ ସାଢ଼େ ୩ଲକ୍ଷ ଲୋକଙ୍କୁ ଟିକା ଦେବାକୁ ଯୋଜନା କରୁଥିଲେ ହେଁ ଠିକ୍ ସମୟରେ ଟିକା ମିଳୁ ନଥିବାରୁ ଟିକାକରଣ ବାଧାପ୍ରାପ୍ତ ହେଉଛି। ଆଜି ୩ଟି ଜିଲ୍ଲାରେ ୧୬୪ଟି ଅଧିବେଶନରେ ଟିକାକରଣ ହୋଇଛି। ଏଥିରେ ‌୨୯,୦୩୨ଡୋଜ୍ ଟିକା ଦିଆଯାଇଛି। ଆଜି କେନ୍ଦ୍ରାପଡ଼ା, ପୁରୀ ଓ ରାୟଗଡ଼ାରେ ଟିକାକରଣ ହୋଇଛି। ସୋମବାର ୧୭୩୦ଟି ଅଧିବେଶନରେ ଟିକାକରଣ ହେବ। ଏବେ ରାଜ୍ୟ ସରକାରଙ୍କ ପାଖରେ ୯ଲକ୍ଷ ୫୨ହଜାର ୮୨୦ ଡୋଜ୍ କୋଭିସିଲ୍‌ଡ ଏବଂ ୩ଲକ୍ଷ ୯୧ହଜାର ୫୪୦ଜଣ ଡୋଜ୍‌ କୋଭାକ୍ସିନ୍‌ ଟିକା ମହଜୁଦ୍‌ ଅଛି।

ସମ୍ବନ୍ଧିତ ଖବର