ବଲାଙ୍ଗୀରରେ କୋଟିଏ ଟଙ୍କାର ଜିଏସ୍‌ଟି ଠକେଇ

ସିଲେଇ ମାଷ୍ଟରଙ୍କ କାରନାମା! ଚାଷୀଙ୍କ ନାଁରେ କମ୍ପାନି କରି କାରବାର

ବଲାଙ୍ଗୀର : ମ୍ୟାଡମ ଦେଖିବାକୁ ବେଶ୍‌ ସିଧାସାଧା। କଥାବାର୍ତ୍ତା ବି ବେଶ୍‌ ଭଲ। ହେଲେ ଡକ୍ୟୁମେଣ୍ଟ ନେଇ କରିଛନ୍ତି କାର୍‌ନାମା। ଏବେ ତାଙ୍କ ଜିଏସ୍‌ଟି ଠକେଇ ସାମ୍ନାକୁ ଆସିଛି। ଟଙ୍କାଟିଏ ନୁହଁ କି ଦୁଇ ଟଙ୍କା ନୁହଁ। କୋଟିଏ ଟଙ୍କାର ଜିଏସ୍‌ଟି ଠକେଇ ହୋଇଛି। ଜଣେ ଚାଷୀଙ୍କ ନାଁରେ ଜାଲ କଂପାନି ଖୋଲି ହୋଇଛି ଠକେଇ। ଏହାକୁ ନେଇ ଜିଲ୍ଲାରେ ବିକ୍ରି ଏବଂ ଦ୍ରବ୍ୟ ଓ ସେବା କର ବିଭାଗ ଚଢ଼ଉ କରିଛି। ତଦନ୍ତ ଜାରି ରହିଥିବା ବେଳେ ବଲାଙ୍ଗୀର ଟିକ୍ରାପଡ଼ାର ଏହି ମହିଳାଙ୍କ କାରନାମାକୁ ନେଇ ତଦନ୍ତକାରୀ ଅଧିକାରୀଙ୍କ ହାତରେ ସୁରାକ ଲାଗିଛି। ଏ ନେଇ ସଇନ୍ତଳା ଥାନାରେ ବି ଅଭିଯୋଗ ହୋଇଛି। ପୁଲିସ ତଦନ୍ତରୁ ସତ ସାମ୍ନାକୁ ଆସିବ।

ପ୍ରକାଶ ଯେ, ବିକ୍ରି ଏବଂ ଦ୍ରବ୍ୟ ଓ ସେବା କର ବିଭାଗ ପ୍ରବର୍ତ୍ତନ ଶାଖାର ରାଜ୍ୟ କର ଅଧିକାରୀ ଆଶିଷ ସାହୁ, ଉପବାଣିଜ୍ୟ କର ଆୟୁକ୍ତ ଫକିର ମୋହନ ଶତପଥୀ, ସହାକାରୀ ଜିଏସ୍‌ଟି ଅଫିସର କ୍ଷୀରୋଦ ମାଝୀ ପ୍ରମୁଖ ସଇନ୍ତଳାରେ ଏକ କମ୍ପାନି କାମ କରୁଥିବା ୱେବ୍‌ସାଇଟ୍‌ରୁ ସୂଚନା ପାଇଥିଲେ। ଏହାପରେ କମ୍ପାନି କଣ ସବୁ କାମ କରୁଛି ତାକୁ ନଜର କରିଥିଲେ। ସିନ୍ଧୁଜା ଷ୍ଟିଲ ନାମକ କମ୍ପାନି କୋଟି କୋଟି ଟଙ୍କାର କାରବାର କରୁଥିବା ଜାଣିବାକୁ ପାଇଥିଲେ। କମ୍ପାନିର ମୁଖ୍ୟ ଆମ୍ବପାଲିର ରବୀନ୍ଦ୍ର ଭୋଇ ବୋଲି ଜଣାପଡ଼ିଥିଲା। କିନ୍ତୁ ରବୀନ୍ଦ୍ରଙ୍କ ପାଖକୁ ଯିବା ପରେ ବିଭାଗୀୟ ଅଧିକାରୀ ତାଜୁବ ହୋଇଯାଇଥିଲେ। ରବୀନ୍ଦ୍ର କୌଣସି କମ୍ପାନିର ମାଲିକ ନଥିଲେ। ଜଣେ ସାଧାରଣ ଚାଷୀ ଥିଲେ। ପଚରାଉଚରା କରିବାରୁ ସେ ଋଣ ପାଇଁ ତାଙ୍କର ସବୁ ଡକ୍ୟୁମେଣ୍ଟ ଜନୈକ ମହେନ୍ଦ୍ର ସାହୁଙ୍କୁ ଦେଇଥିବା କହିଥିଲେ। ଏହାପରେ କମ୍ପାନିର କାଗଜପତ୍ରରେ ସାରସମାଲ ଲିଙ୍କ୍‌ ପାଇ ଅଧିକାରୀମାନେ ସେଠାକୁ ଯାଇ ଅନୁସନ୍ଧାନ କରିଥିଲେ। ସେଠାରେ ଯେଉଁ ଘର ଠିକଣା ସବୁ ରହିଥିଲା ସେଥିରେ ଜଣେ ମହିଳାଙ୍କ ନାଁ ପଦାକୁ ଆସିଥିଲା। ମହିଳାଜଣକ ବଲାଙ୍ଗୀର ଟିକ୍ରାପଡ଼ାର ବୋଲି ଜଣାପଡ଼ିଛି।

ଅନ୍ୟପଟେ ରବୀନ୍ଦ୍ର ଏନେଇ ସଇନ୍ତଳା ଥାନାରେ ଏତଲା ଦେଇଥିବା ବେଳେ ସାରସମାଲ ଗାଁର ମହିଳା ଯାହାଙ୍କୁ ଘର ଭଡ଼ା ଦେଇଥିଲେ ତାଙ୍କ ନାଁରେ ଏତଲା ଦେବାକୁ ନିଷ୍ପତ୍ତି କରିଥିବା ଜଣାପଡ଼ିଛି। ମହିଳା ଜଣକ ସିଲେଇ ଟ୍ରେନିଂ ନାଁରେ ବହୁ ଲୋକଙ୍କ ଡକ୍ୟୁମେଣ୍ଟ ନେଇଛନ୍ତି। ଏଣୁ ଏହି ଜିଏସ୍‌ଟି ଠକେଇରେ ଆଉ ଅଧିକ ବ୍ୟକ୍ତିଙ୍କ ସଂପୃକ୍ତି ଥିବ ବୋଲି ସନ୍ଦେହ ପ୍ରକାଶ କରାଯାଉଛି। ତଦନ୍ତ ଚାଲୁଥିବାରୁ ବର୍ତ୍ତମାନ କିଛି ସୂଚନା ଦେଇହେବ ନାହିଁ ବୋଲି ଚଢ଼ଉରେ ଯାଇଥିବା ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର