‘ମୋ ପରିବାର’ମନ୍ତ୍ର ଫୁଙ୍କିଲେ ନବୀନ : ବିଧାୟକ ପାଣ୍ଠିକୁ ଆଉ କୋଟିଏ

ସ୍ବୟଂ ସହାୟକ ଗୋଷ୍ଠୀରୁ ମାସ୍କ କିଣାଯିବ, ପୌର ଓ ପଞ୍ଚାୟତ ପାଇଁ ନଜରରେ ମହିଳା

ଭୁବନେଶ୍ୱର : ଲୋକଙ୍କ କଲ୍ୟାଣ ପାଇଁ ବିଧାୟକ ପାଣ୍ଠିକୁ ଆଉ ୧ କୋଟି ଟଙ୍କା ଦିଆଯିବ। ଏହି ଟଙ୍କାରେ ସ୍ବୟଂ ସହାୟକ ଗୋଷ୍ଠୀରୁ ମାସ୍କ ମଧ୍ୟ କିଣାଯାଇ ପାରିବ। ଫଳରେ ସ୍ବୟଂ ସହାୟକ ଗୋଷ୍ଠୀର ମା’ମାନେ ରୋଜଗାର ପାଇବେ ଏବଂ ଲୋକମାନେ ନିରାପଦ ରହିବେ। ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଆଜି ନିଜ ଦଳର ବିଧାୟକମାନଙ୍କୁ ଏଭଳି ମନ୍ତ୍ର ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କର ଏଭଳି ପଦକ୍ଷେପ ଗୋଟିଏ ପଟେ କୋଭିଡ୍ ସୁରକ୍ଷା ସଙ୍କେତ ଦେଉଥିବା ବେଳେ ଅନ୍ୟପଟେ ନବୀନଙ୍କ ମହିଳା ସଶକ୍ତିକରଣ ଉଦ୍ଦେଶ୍ୟକୁ ଇଙ୍ଗିତ କରୁଛି। ଏହାକୁ ରାଜନୈତିକ ମହଲରେ ନବୀନଙ୍କ ପୌର ଓ ପଞ୍ଚାୟତ ଚାଲ୍ ବୋଲି ମଧ୍ୟ କୁହାଯାଉଛି।

ଆଜି ‘ମୋ ପରିବାର’ କାର୍ଯ୍ୟକ୍ରମ ସଂପର୍କରେ ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସି ଯୋଗେ ବିଧାୟକମାନଙ୍କୁ କହିଥିଲେ ଯେ କରୋନା ସଂକ୍ରମଣରେ ଭାରତ ଆଜି ସାରା ବିଶ୍ବରେ ସବୁଠାରୁ ଉପରେ ଅଛି। ଦେଶରେ ପ୍ରତି ଦୁଇ ଦିନରେ ଏକ ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ହେଉଛନ୍ତି। ଓଡ଼ିଶା ମଧ୍ୟ କରୋନାର କଡ଼ା ମୁକାବିଲା କରୁଛି।

କୋଭିଡ୍‌ ଯୋଦ୍ଧାମାନଙ୍କର ତ୍ୟାଗ ଓ ପରିଶ୍ରମ ଏବଂ ସମସ୍ତଙ୍କ ସହଯୋଗ ଯୋଗୁଁ ରାଜ୍ୟରେ ଆରୋଗ୍ୟ ହାର ବଢୁଛି ଓ ମୃତ୍ୟୁ ହାର ସବୁଠାରୁ କମ୍‌ ଅଛି।

ବିଧାୟକମାନଙ୍କୁ ଅନୁରୋଧ କରି ମୁଖ୍ୟମନ୍ତ୍ରୀ କହିଥିଲେ,ଏହି ସଙ୍କଟ ସମୟରେ ସେମାନେ ଲୋକ ଓ କୋଭିଡ୍‌ ଯୋଦ୍ଧାମାନଙ୍କ ସାଥିରେ ରହିବା ଉଚିତ। ସେମାନଙ୍କ କାମକୁ ପ୍ରଶଂସା କରିବା ସହିତ ଓ ସୁଖ ଦୁଃଖରେ ସାମିଲ ହେବା ଦରକାର। ବିଶେଷ କରି ଲକ୍ଷ୍ୟ କରାଯାଉଛି ଯେ ମୃତ କୋଭିଡ୍‌ ରୋଗୀଙ୍କ ଶବ ସଂସ୍କାର କ୍ଷେତ୍ରରେ କେତେକ ଅସୁବିଧା ହେଉଛି। ଏଥିପାଇଁ ଲୋକଙ୍କୁ ବୁଝାଇବା ସହିତ ମୃତଦେହ ସଂସ୍କାରରେ ସହଯୋଗ କରିବା ଲାଗି ନବୀନ ପ୍ରବର୍ତ୍ତାଇଥିଲେ।

ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଆଜିଠାରୁ ଗଞ୍ଜାମରେ ୫ଟି କୋଭିଡ୍‌ ଗୃହ ବନ୍ଦ କରାଗଲା। ସେଠାରେ ପରିସ୍ଥିତିରେ ଉନ୍ନତି ଆସିଛି। କିନ୍ତୁ ଖୋର୍ଦ୍ଧା ଓ କଟକରେ ପରିଚାଳନା କରିବା ପାଇଁ ଅଧିକ ପରିଶ୍ରମ କରିବାକୁ ହେବ। ଏଣୁ ନିଜେ ଯତ୍ନବାନ ସହିତ ଲୋକଙ୍କୁ ସଚେତନ ରହିବା ଲାଗି ବିଧାୟକମାନଙ୍କୁ ସେ କହିଥିଲେ।

କୋଭିଡ୍‌ ଯୋଗୁଁ ଅନ୍ୟ ରାଜ୍ୟରେ ଥିବା ୧୦ ଲକ୍ଷ ଲୋକ ଓଡ଼ିଶା ଫେରିଛନ୍ତି। ସେମାନଙ୍କ ମଧ୍ୟରୁ କେହି ବି ଯୋଗ୍ୟ ଲୋକ ଯେପରି ଖାଦ୍ୟ ସୁରକ୍ଷାରୁ ବଞ୍ଚିତ ହେବେ ନାହିଁ, ସେଥିପ୍ରତି ବିଧାୟକମାନେ ଧ୍ୟାନ ଦେବା ସହିତ ନିର୍ମାଣ ଶ୍ରମିକ ଯୋଜନା ପାଇଁ ସୁବିଧାରେ ଏହି ବ୍ୟକ୍ତିମାନେ କିଭଳି ପଞ୍ଜୀକରଣ କରିପାରିବେ, ସେଥିରେ ସହଯୋଗ କରିବା ଲାଗି ନବୀନ କହିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ, ଲଘୁଚାପ ବର୍ଷାରେ ରାଜ୍ୟରେ ବନ୍ୟା ଆସିଛି। ଲୋକଙ୍କ ଏ ଅସୁବିଧା ସମୟରେ ସେମାନଙ୍କ ସାଥିରେ ବିଧାୟକମାନେ ରୁହନ୍ତୁ। ଲୋକଙ୍କ ଅସୁବିଧା ଦୂର ପାଇଁ ରାଜ୍ୟ ସରକାର ସବୁ ସହଯୋଗ ଯୋଗାଇ ଦେବେ। ସେହିଭଳି ବର୍ତ୍ତମାନ କେବଳ ସାରା ଓଡ଼ିଶା ନୁହେଁ, ସାରା ଭାରତର ଅର୍ଥନୀତି କ୍ଷେତ୍ରରେ ଆହ୍ବାନମୂଳକ ସମୟ ଦେଇ ଗତି କରୁଛି। ତଥାପି ଲୋକଙ୍କ କଲ୍ୟାଣ ପାଇଁ ବିଧାୟକ ପାଣ୍ଠିକୁ ଆଉ ୧ କୋଟି ଟଙ୍କା ଦିଆଯିବ। କୋଭିଡ୍‌ ଏବଂ ବନ୍ୟା ପରିସ୍ଥିତିରେ ପିଲାଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ନିଟ୍ ଓ ଜେଇଇ ପରୀକ୍ଷା ଘୁଞ୍ଚାଇବା ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଇଥିଲା। କିନ୍ତୁ ସେମାନେ ଶୁଣିଲେ ନାହିଁ। ଏବେ ମାତ୍ର ୪୮ ଘଣ୍ଟାରୁ କମ୍‌ ସମୟ ରହିଛି। ପିଲାମାନେ ଆମ ଦେଶର ଭବିଷ୍ୟତ ଓଡ଼ିଶାର ବି। ସେମାନେ ଆମ ପରିବାରର ଓ ସେମାନଙ୍କ ସୁରକ୍ଷା ଆମ ଦାୟିତ୍ବ। ତେଣୁ ପିଲାମାନେ ଯେପରି ଭଲରେ ଭଲରେ ପରୀକ୍ଷା ଦେବେ, ସେଥିପାଇଁ ରାଜ୍ୟ ସରକାର ମାଗଣାରେ ପରିବହନ ଓ ରହିବାର ବ୍ୟବସ୍ଥା କରିଛନ୍ତି। ନିଜ ନିଜ ଅଞ୍ଚଳର ପିଲାମାନେ ଯେପରି ସୁବିଧାରେ ପରୀକ୍ଷା ଦେବେ, ସେଥିରେ ସହଯୋଗ କରିବା ଲାଗି ନିର୍ଦେଶ ଦିଆଯାଇଥିଲା। ଶ୍ରୀ ପଟ୍ଟନାୟକ କହିଥିଲେ, ‘‘ମୁଁ ସବୁବେଳେ କହି ଆସିଛି ଯେ, ସାଢ଼େ ଚାରି କୋଟି ଓଡ଼ିଶାବାସୀ ହେଉଛନ୍ତି ମୋ ପରିବାର। ସେମାନଙ୍କ କଲ୍ୟାଣ ଆମ ଦାୟିତ୍ବ । ‘ଓଡ଼ିଶା – ମୋ ପରିବାର’ କାର୍ଯ୍ୟକ୍ରମରେ ଏ ସମୟରେ ପିଲାଙ୍କୁ ସବୁ ସହଯୋଗ ଯୋଗାଇ ଦିଆଯିବ। ସେହିପରି ଅଧିକ ରକ୍ତଦାନ କ୍ୟାମ୍ପ ପାଇଁ ଆପଣମାନେ କାମ କରିବା ଦରକାର।’’

ସମ୍ବନ୍ଧିତ ଖବର