ଦିନକରେ ଆଉ ୧୩୬ ଚିହ୍ନଟ, ପଜିଟିଭ୍‌ ଚିହ୍ନଟ ମହିଳାଙ୍କ ଅନ୍ୟ ରୋଗରେ ମୃତ୍ୟୁ

ଏନ୍‌ଡିଆର୍‌ଏଫ୍‌-ଓଡିଆର୍‌ଏଫ୍‌ରୁ ଆଉ ୫୪ ପଜିଟିଭ୍, ୭୨ ସୁସ୍ଥ ହେଲେ, ରାଜ୍ୟରେ ସୁସ୍ଥ ହାର ପ୍ରାୟ ୭୦%

ଭୁବନେଶ୍ବର: ରାଜ୍ୟରେ ଗତ ୨୪ଘଣ୍ଟାରେ ୧୩୬ଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଏଥି ସହିତ ମୋଟ ଆକ୍ରାନ୍ତ ସଂଖ୍ୟା ୩୩୮୬ରେ ପହଞ୍ଚିଛି। କରୋନା ପଜିଟିଭ୍‌ ଥିବା ଜଣେ ମହିଳା ପ୍ରାଣ ହରାଇଛନ୍ତି। ମାତ୍ର ତାଙ୍କ ମୃତ୍ୟୁ ଅନ୍ୟାନ୍ୟ କାରଣ ପାଇଁ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ଆକ୍ରାନ୍ତ ୧୩୬ ଜଣଙ୍କ ମଧ୍ୟରେ ଏନ୍‌ଡିଆରଏଫ୍‌-ଓଡିଆରଏଫ୍‌ର ୫୪ଜଣ ରହିଛନ୍ତି। ଏହାବାଦ୍ ଖୋର୍ଧା ଜିଲ୍ଲାର ୧୭, କନ୍ଧମାଳ ୧୫, ମୟୂରଭଞ୍ଜ ୯, ଗଜପତି ଓ କଟକ ୭ଜଣ ଲେଖାଏଁ, କେନ୍ଦୁଝର ୮, ଝାରସୁଗୁଡ଼ା ୪, ଢେଙ୍କାନାଳ, ପୁରୀ ଓ ଗଞ୍ଜାମ ୩ଜଣ ଲେଖାଏଁ, ନୂଆପଡ଼ା ଓ କଳାହାଣ୍ଡିର ୨ଜଣ ଲେଖାଏଁ, ସମ୍ବଲପୁର ଓ କେନ୍ଦ୍ରାପଡ଼ାର ଜଣେ ଲେଖାଏଁ ରହିଛନ୍ତି। ଗଞ୍ଜାମରେ ୬୫୨, ଯାଜପୁର ୩୨୬, ଖୋର୍ଧା ୩୦୭, କଟକ ୨୧୬, ବାଲେଶ୍ବର ୧୯୭, କେନ୍ଦ୍ରାପଡ଼ା ୧୭୧, ଭଦ୍ରକ ୧୫୨, ଜଗତ୍‌ସିଂହପୁର ୧୩୦, ବଲାଙ୍ଗୀର ୧୨୪, ପୁରୀ ଓ ସୁନ୍ଦରଗଡ଼ ୧୧୮, ଏନ୍‌ଡିଆରଏଫ୍‌-ଓଡିଆରଏଫ୍‌ ୧୧୫ ଚିହ୍ନଟ ହୋଇଛନ୍ତି। ଏହାବାଦ୍ ନୟାଗଡ଼ ୯୭, ମୟୂରଭଞ୍ଜ ୯୨ ଓ ଗଜପତି ୭୯ ପଜିଟିଭ୍‌ଙ୍କ ଶହେର ନିକଟତର ହୋଇଛନ୍ତି। କ‌ରୋନା ପଜିଟିଭ୍‌ ଥିବା ଭୁବନେଶ୍ବର ଜଣେ ୩୮ବର୍ଷିୟା ପ୍ରାଣ ହରାଇଛନ୍ତି। ତାଙ୍କର ଚର୍ମ ରୋଗ ଥିବା ବେଳେ ଦୀର୍ଘଦିନ ଧରି ରୋଗ ପ୍ରତିରୋଧକାରୀ ଔଷଧ ସେବନ କରୁଥିଲେ। ତାଙ୍କର ଏକାଧିକ ଅଙ୍ଗ ଅଚଳ ହୋଇଯିବା ସହ ସେପ୍ଟିକ୍ ସକ୍‌ରେ ତାଙ୍କର ମୃତ୍ୟୁ ହୋଇଥିବା ସ୍ବାସ୍ଥ୍ୟ ବିଭାଗ କହିଛି। ତେଣୁ ରାଜ୍ୟରେ କରୋନା ଜନିତ ମୃତ୍ୟୁ ୯ ରହିଛି।

ଅପରପକ୍ଷରେ ଆଜି ୭୨ଜଣ କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତହିଁରେ ଗଞ୍ଜାମ ୧୭, ସୋନପୁର ୯, ବଲାଙ୍ଗୀର ୭, ଜଗତ୍‌ସିଂହପୁର ୬, କଟକ, କଳାହାଣ୍ଡି ଓ ସୁନ୍ଦରଗଡ଼ ୫ଜଣ ଲେଖାଏଁ, ବାଲେଶ୍ବର ଓ ମୟୂରଭଞ୍ଜରୁ ୪ଜଣ ଲେଖାଏଁ, ଖୋର୍ଧା, କନ୍ଧମାଳ ଓ ସମ୍ବଲପୁରରୁ ୩ଜଣ‌ ଲେଖାଏଁ, ଝାରସୁଗୁଡ଼ାରୁ ଜଣେ ରହିଛନ୍ତି। ରାଜ୍ୟରେ ଏବେ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା ୨୩୫୪ରେ ପହଞ୍ଚିଛି। ୧୦୨୦ଜଣ ସକ୍ରିୟ କରୋନା ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି। ରାଜ୍ୟରେ କରୋନା ରୋଗୀଙ୍କ ସୁସ୍ଥ ହାର ପ୍ରାୟ ୭୦ ପ୍ରତିଶତ ରହିଛି।

‘ରଜ’ ଆଉଥରେ ଆସିବ, ଜୀବନ ନୁହେଁ
ଭୁବନେଶ୍ବର: ଦୁଇ ଦିନ ପରେ ‘ରଜ’। ରଜ ପାଇଁ ଲୋକେ ନୂଆ ପୋଷାକ କିଣାକିଣି କରିଥାନ୍ତି। ଫଳରେ ଲୁଗା ଦୋକାନରେ ଭିଡ଼ ଜମେ। ଆଉ ଭିଡ଼ ହେଉଛି କରୋନା ସଂକ୍ରମଣ ବ୍ୟାପିବା ଲାଗି ଅନୁକୂଳ ବାତାବରଣ। ତେଣୁ ସତର୍କ ହୋଇ ରଜ ପାଳିବାକୁ ଅନୁରୋଧ କରିଛନ୍ତି କୋଭିଡ-୧୯ ପାଇଁ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ। ଆଜି ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବାଗ୍‌ଚୀ କହିଲେ, ‘ରଜ ପର୍ବର ବୃହତ୍ତର ଉଦ୍ଦେଶ୍ୟ ହେଉଛି ସଂଯମ, ସାବଧାନତା ଓ ସଚେତନତା। ରଜ ଆଉଥରେ ଆସିବ। କିନ୍ତୁ ଆପଣଙ୍କ ଜୀବନ ନୁହେଁ।’ ତେଣୁ ରଜ କିଣାବିକାବେଳେ ଉଭୟ ଦୋକାନୀ ଓ ଗ୍ରାହକଙ୍କୁ ମାସ୍କ ପିନ୍ଧିବାକୁ, ହାତ ସାନିଟାଇଜ୍ କରିବାକୁ ଏବଂ ନଗଦ କାରବାର ନ କରି ଡିଜିଟାଲ ପେମେଣ୍ଟର ବ୍ୟବସ୍ଥା କରିବା ଯଥେଷ୍ଟ ଗୁରୁତ୍ବ ଦିଅନ୍ତୁ ବୋଲି ସେ ପରାମର୍ଶ ଦେଇଥିଲେ। ଏହାଛଡ଼ା ବଜାରକୁ ପରିବାରର ଅନେକ ସଦସ୍ୟ ନ ଯାଇ ଯଥାସମ୍ଭବ ଜଣେ ମାତ୍ର ସଦସ୍ୟ ମାଧ୍ୟମରେ ସାମଗ୍ରୀ କ୍ରୟ କରିବାକୁ ଏବଂ ଗହଳି ଥିବା ଦୋକାନ ବା ବଜାରଠାରୁ ଦୂରରେ ରହିବାକୁ ଲୋକଙ୍କୁ ସତର୍କ କରି ଦେଇଥିଲେ। ରଜ ଉପଲକ୍ଷେ ଶୁକ୍ରବାର ସନ୍ଧ୍ୟା ୭ଟା ବଦଳରେ ରାତି ୧୦ଟା ଯାଏଁ ଦୋକାନ ବଜାର ଖୋଲିବ। ଯେଉଁମାନେ ନିୟମ ଉଲ୍ଲଂଘନ କରିବେ, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର