ଗୋଟିଏ ଦିନରେ ଦୁଇ ପ୍ରବେଶିକା ପରୀକ୍ଷା, ଦ୍ବନ୍ଦ୍ବରେ ପରୀକ୍ଷାର୍ଥୀ

ଭୁବନେଶ୍ୱର: ବିଭିନ୍ନ ପ୍ରବେଶିକା ପରୀକ୍ଷାକୁ ସୁନିୟନ୍ତ୍ରିତ କରିବା ପାଇଁ ଯୋଜନା ଚାଲୁଥିବା ବେଳେ ଗୋଟିଏ ଦିନରେ ଦୁଇଟି ପ୍ରବେଶିକା ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଗୋଟିଏ ଆଇସିଏଆର୍‌ର ବ୍ୟାଚଲର୍‌ ଡିଗ୍ରିର ହୋଇଥିବା ବେଳେ ଅନ୍ୟଟି ଏସ୍‌ଭି ନିର୍‌ତାରରେ ବିଭିନ୍ନ ବ୍ୟାଚଲର ଡିଗ୍ରି କୋର୍ସ ପାଇଁ ରହିଛି। ଉଭୟ ପରୀକ୍ଷା ଜୁଲାଇ ୧ ତାରିଖରେ ଥିବା ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ଏହାକୁ ନେଇ ପରୀକ୍ଷାର୍ଥୀ ଦ୍ବନ୍ଦ୍ବରେ ପଡ଼ିଛନ୍ତି। ଉଭୟ ପରୀକ୍ଷା ପାଇଁ ଜଣେ ପରୀକ୍ଷାର୍ଥୀ ୧୩ଶହରୁ ୨୩ଶହ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିଛନ୍ତି। ଏବେ ଏହା ଗୋଟିଏ ଦିନରେ ହେବାକୁ ଯାଉଥିବାରୁ ଗୋଟିଏ ପରୀକ୍ଷା ଦେଇ ନପାରିବା ସ୍ପଷ୍ଟ ହୋଇଛି। ଏ ନେଇ ପରୀକ୍ଷାର୍ଥୀ ଅନନ୍ତ ନାରାୟଣ ସିଂହ ଉଭୟ ସଂସ୍ଥାକୁ ଲିଖିତ ଅଭିଯୋଗ କରିଛନ୍ତି। ଅନ୍ତତଃ ଗୋଟିଏ ଦିନ ବ୍ୟବଧାନରେ କରିବା ପାଇଁ ସେ ଉଭୟ ସଂସ୍ଥା କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଛନ୍ତି। ତେବେ ଏ ନେଇ ଉଭୟ ସଂସ୍ଥା କର୍ତ୍ତୃପକ୍ଷଙ୍କଠାରୁ ପରୀକ୍ଷା ସମୟ ପରିବର୍ତ୍ତନ ନେଇ ସୂଚନା ଦିଆଯାଇନାହିଁ।

ସୂଚନାଯୋଗ୍ୟ, ଆଇସିଏଆର୍‌ (ଇଣ୍ଡିଆନ୍‌ କାଉନ୍‌ସିଲ୍‌ ଅଫ୍‌ ଏଗ୍ରିକଲଚର ରିସର୍ଚ୍ଚ) ଦେଶରେ ଥିବା କୃଷି ବିଶ୍ବବିଦ୍ୟାଳୟ ଓ ଏହା ଅଧୀନରେ ଥିବା କେତେକ ଅନୁଷ୍ଠାନରେ ବ୍ୟାଚଲର ଡିଗ୍ରି ଓ ମାଷ୍ଟର ଡିଗ୍ରି କୋର୍ସରେ ନାମ ଲେଖାଇବା ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ଏହି ପରୀକ୍ଷାକୁ ଏନ୍‌ଟିଏ (ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି) ପରିଚାଳନା କରୁଛି। ଚଳିତ ଶିକ୍ଷାବର୍ଷରେ ନାମଲେଖା ଉଦ୍ଦେଶ୍ୟରେ ପ୍ରବେଶିକା ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କଠାରୁ ଆବେଦନପତ୍ର ଗ୍ରହଣ କରାଯାଇଛି। ଏଥିପାଇଁ ଜଣେ ଆବେଦନକାରୀ ୭ଶହରୁ ୧୭ଶହ ପର୍ଯ୍ୟନ୍ତ ଟଙ୍କା ଜମା କରିଛି। ଏବେ ଏହି ପରୀକ୍ଷା ଜୁଲାଇ ୧ ତାରିଖରେ ହେବାକୁ ଧାର୍ଯ୍ୟ ହୋଇଛି। ସେହିଭଳି ଏସ୍‌ଭି ନିରତାର (ସ୍ବାମୀ ବିବେକାନନ୍ଦ ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ରିହାବିଲିଟେସନ ଟ୍ରେନିଂ ଆଣ୍ଡ ରିସର୍ଚ୍ଚ) ତିନୋଟି କୋର୍ସରେ ନାମ ଲେଖା ପାଇଁ କମନ ଏଣ୍ଟ୍ରାନ୍ସ ଟେଷ୍ଟ (ସିଏଟି-୨୦୧୯) ପରିଚାଳନା କରିବାକୁ ଯାଉଛି। ଏଥିପାଇଁ ଯୁକ୍ତ ଦୁଇ ପାସ୍‌ କରିଥିବା ବିଭିନ୍ନ ଛାତ୍ରଛାତ୍ରୀଙ୍କଠାରୁ ଆବେଦନପତ୍ର ଗ୍ରହଣ କରାଯାଉଛି। ଏହି ପରୀକ୍ଷାରେ ଅବତ୍ତୀର୍ଣ୍ଣ ହେବାକୁ ହେଲେ ଜଣେ ପରୀକ୍ଷାର୍ଥୀକୁ ୬ଶହ ଟଙ୍କା ଜମା କରିବାକୁ ପଡ଼ୁଛି। ତେବେ ଏହି ପରୀକ୍ଷା ମଧ୍ୟ ଜୁଲାଇ ୧ ତାରିଖ‌ରେ ରହିଛି। ଆଇସିଏଆର୍‌ର ପରୀକ୍ଷା ସର୍ବଭାରତୀୟସ୍ତରର ହୋଇଥିବା ବେଳେ ଏସ୍‌ଭି ନିରତାରର ପରୀକ୍ଷା ବିଶ୍ବବିଦ୍ୟାଳୟସ୍ତରର ରହିଛି। ଏହି ଦୁଇ ପରୀକ୍ଷା ପାଇଁ କେବଳ ଓଡ଼ିଶାରୁ ୭ ହଜାରରୁ ଊର୍ଦ୍ଧ୍ବ ଆବେଦନକାରୀ ରହିଛନ୍ତି। ଗୋଟିଏ ଦିନରେ ପାରୀକ୍ଷା ହେବାକୁ ଯାଉଥିବାରୁ ଆବେଦନକାରୀ ହତାଶ ହୋଇଛନ୍ତି।

ସମ୍ବନ୍ଧିତ ଖବର