ଦୁର୍ଘଟଣାରେ ଜଣେ ମୃତ, ଟିଏମ୍‌ସି ମେୟରଙ୍କ ସହ ୧୦ ଆହତ

ବାଲେଶ୍ୱର/ଜଳେଶ୍ୱର : ୬୦ ନଂ ଜାତୀୟ ରାଜପଥର ଜମାଳପୁର ନିକଟରେ ଆଜି ମଧ୍ୟାହ୍ନରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ପୁରୀକୁ ତୀର୍ଥ ଯାତ୍ରା ପାଇଁ ଯାଉଥିବା ପଶ୍ଚିମବଙ୍ଗ ଭଦ୍ରେଶ୍ୱର ଥାନା ଅଧୀନ ହୁଗୁଳି ଚନ୍ଦନନଗର ମେୟର ତଥା ତୃଣମୂଳ କଂଗ୍ରେସ ନେତା ରାମ ଚକ୍ରବର୍ତ୍ତୀଙ୍କ ପରିବାରର ଜଣେ ମୃତ୍ୟୁବରଣ କରିଥିବା ବେଳେ ୧୦ ଜଣ ଗୁରୁତର ହୋଇଛନ୍ତି। ମୃତ ବ୍ୟକ୍ତିଙ୍କ ନାଁ  ଦେବାର୍ଥ ଚଟୋପାଧ୍ୟାୟ (୫୫)।

ସ୍ଥାନୀୟ ଲୋକେ ଆହତମାନଙ୍କୁ ଉଦ୍ଧାର କରି ପ୍ରଥମେ ଜଳେଶ୍ୱର ହସପିଟାଲରେ ଭର୍ତ୍ତି କରିଥିଲେ। ସେମାନଙ୍କ ମଧ୍ୟରୁ ମେୟର ରାମ ଚକ୍ରବର୍ତ୍ତୀ (୬୦), ରୁନୁ ଚକ୍ରବର୍ତ୍ତୀ (୫୦), ଡା. ଲକ୍ଷ୍ମଣ ଚକ୍ରବର୍ତ୍ତୀ (୪୫), ଶିଳ୍ପା ଚକ୍ରବର୍ତ୍ତୀ (୩୦), ସୌମୀ ପ୍ରସାଦ (୧୪), କଳ୍ପନା ଚକ୍ରବର୍ତ୍ତୀ (୪୮), ଅର୍ଣ୍ଣବ ଚକ୍ରବର୍ତ୍ତୀ (୨୩)ଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ବାଲେଶ୍ୱର ଜିଲ୍ଲା ହସପିଟାଲକୁ ସ୍ଥାନାନ୍ତର କରାଯାଇଛି। ରେଣୁକା ରାୟ (୬୧), ପ୍ରିୟା ଚକ୍ରବର୍ତ୍ତୀ (୨୯), କଳ୍ପନା ଅଧିକାରୀ (୫୩)ଙ୍କୁ ଜଳେଶ୍ୱର ହସପିଟାଲରେ ଚକିତ୍ସା କରାଯାଉଛି। ଜଳେଶ୍ୱର ପୁଲିସ ଦୁର୍ଘଟଣା ଘଟାଇଥିବା ଟ୍ରକ ଓ ଦୁର୍ଘଟଣାଗ୍ରସ୍ତ ୨ଟି ଗାଡ଼ି ଜବତ କରିଛି। ଭଦ୍ରେଶ୍ୱର ଥାନା ସହ ଯୋଗାଯୋଗ କରାଯାଇ ଦୁର୍ଘଟଣାଗ୍ରସ୍ତଙ୍କ ପରିବାରକୁ ଖବର ଦିଆଯାଇଥିବା ଜଳେଶ୍ୱର ଥାନା ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ଆଜି ସକାଳେ ପଶ୍ଚିମବଙ୍ଗ ଭଦ୍ରେଶ୍ୱର ଥାନା ଅଧୀନ ହୁଗୁଳି ଚନ୍ଦନନଗରର ମେୟର ତଥା ଟିଏମ୍‌ସି ନେତା ରାମ ଚକ୍ରବର୍ତ୍ତୀ ତାଙ୍କ ପରିବାର ଓ ସମ୍ପର୍କୀୟମାନଙ୍କୁ ନେଇ ପୁରୀ ତୀର୍ଥ କରିବାକୁ ବାହାରିଥିଲେ। ପୂର୍ବାହ୍ନ ସାଢ଼େ ୧୧ଟା ବେଳେ ଏନ୍‌ଏଚ୍‌-୬୦ର ଜମାଳପୁର ବାଇପାସ୍‌ ନିକଟରେ ସେମାନଙ୍କ ଟାଟା ଇଣ୍ଡିଗୋ (ଡବ୍ଲୁବି-୬୪ଇ-୨୧୩୬)ଗାଡ଼ି ଓ ଟ୍ରାଭେରା (ଡବ୍ଲୁବି-୧୬ଏଜେ-୪୧୭୭) ରାସ୍ତା ପାର୍ଶ୍ୱରେ ରଖି ତ୍ରୁଟି ସଜାଡ଼ୁଥିଲେ। ଏହି ସମୟରେ ଦୀଘାରୁ ଧାମରା ଅଭିମୁଖେ ଯାଉଥିବା ଉର୍ବଶୀ ଟ୍ରାନ୍ସପୋର୍ଟର ଏକ ଟ୍ରକ (ଓଆର-୦୧ଏମ-୮୧୪୫) ଏହି ୨ଟି ଗାଡ଼ିକୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଏକ ଭୟଙ୍କର ଶବ୍ଦ ହେବା ସହ ଦୁଇଟି ଗାଡ଼ି କିଛି ଦୂରକୁ ଛିଟିକି ପଡ଼ିଥିଲା। ଫଳରେ ଘଟଣାସ୍ଥଳରେ ଦେବାର୍ଥଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୧୦ ଜଣ ଗୁରୁତର ହୋଇଥିଲେ। ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ର ଚାଳକ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲା। ପୁଲିସ ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର