ପାଟଣାଗଡ଼ : ପାଟଣାଗଡ଼-ବଲାଙ୍ଗୀର ମୁଖ୍ୟ ରାସ୍ତାର ଭଇଁଷା ବସ୍‌ଷ୍ଟାଣ୍ଡ ନିକଟରେ ବୁଧବାର ଏକ ଟାଟା ଏସିଇ ଗାଡ଼ି ଓଲିଟିପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ୟ ୧୪ ଜଣ ଆହତ ହୋଇଛନ୍ତି। ଏମାନେ ସମସ୍ତେ ଏକ ସଂକୀର୍ତ୍ତନ ଦଳର ସଦସ୍ୟ ଓ ପାଟଣାଗଡ଼ ବ୍ଲକ୍‌ ବାନ୍ଧନବାଡ଼ି ଗାଁକୁ ବାହୁଡ଼ାଯାତ୍ରାରେ ସଂକୀର୍ତ୍ତନ ପରିବେଷଣ କରିବାକୁ ଯାଉଥିଲେ। ମୃତକ ଜଣକ ହେଲେ ପାଟଣାଗଡ଼ ରାମପୁରର ମୁକେଶ ଆଡ଼ସୁଲିଆ (୫୫ବର୍ଷ)।

Advertisment

ସୂଚନା ଅନୁସାରେ, ବାନ୍ଧନବାଡ଼ି ଗାଁରେ ଚଳିତ ବର୍ଷ ପ୍ରଥମଥର ପାଇଁ ରଥଯାତ୍ରା ଅନୁଷ୍ଠିତ ହୋଇଥିଲା। ବୁଧବାର ବାହୁଡ଼ାଯାତ୍ରାରେ ସଂକୀର୍ତ୍ତନ ପରିବେଷଣ କରିବା ପାଇଁ ପାଟଣାଗଡ଼ ରାମପୁରର ଏକ ସଂକୀର୍ତ୍ତନ ଦଳର ପ୍ରାୟ ୨୫ ଜଣ ଟାଟା ଏସିଇ (ଓଡି ୦୩ ଏଲ୍‌ ୯୩୮୨) ଯୋଗେ ଯାଉଥିଲେ। ଭଇଁଷା ବସ୍‌ଷ୍ଟାଣ୍ଡ ନିକଟରେ ଗାଡ଼ିଟି ଭାରସାମ୍ୟ ହରାଇ ଓଲଟିପଡ଼ିଥିଲା। ଫଳରେ ୧୫ ଜଣ ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ଗୁରୁତର ଥିବା ମୁକେଶ ଆଡ଼ସୁଲିଆ, ବାସନ୍ତି ପୁଟା, ଭାଗ୍ୟବତୀ ବାଗ, ସୁବାସିନୀ ମଲ୍ଲିକ, ସୁବଳ ପାଣ୍ଡେ, ରବି ତୁମୁନିଆ, କମଳିନୀ ଘିଭେଲା, ବାସୁ ବନଗୁଲା, ପ୍ରିୟା ଥପା, ଭୀମ ବାଗ, ଯଦୁ ଭାଟିଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲକୁ ପଠାଇଥିଲେ। ‌ସେଠାରେ ମୁକେଶଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ସେହିପରି ସଂକଟାପନ୍ନ ଥିବା ସୁବାସିନୀ ମଲ୍ଲିକଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା। ଅନ୍ୟ ଆହତ ଗୋକୁଳ ମନହୀରା, ସୀମା ସେଠ, ଆଶା ଭୁଏ, ମୀନା ନାଏକଙ୍କୁ ଉଦ୍ଧାର କରି ପାଟଣାଗଡ଼ ଉପଖଣ୍ଡ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଅଣାଯାଇଛି। ଗାଡ଼ିରେ କ୍ଷମତାଠାରୁ ଅଧିକ ଲୋକ ଚଢ଼ିଥିବାରୁ ଭାରସାମ୍ୟ ହରାଇ ଓଲଟି ପଡ଼ିଥିବା ଆଲୋଚନା ହେଉଛି।