କାଳ ହେଲା ମହୁ ସଂଗ୍ରହ : ମହୁମାଛି ଆକ୍ରମଣରେ ଯୁବକ ମୃତ, ୨ ଗୁରୁତର

କପ୍ତିପଦା/ଶାଳଚୁଆ/ଉଦଳା(୧) : ଜଙ୍ଗଲରେ ମହୁ ସଂଗ୍ରହ ପାଇଁ ଚାଲିଥିଲା କସରତ। ଗଛରେ ଏକ ବଡ଼ ମହୁଫେଣା ଦେଖି ତାକୁ ଭାଙ୍ଗିବା ବେଳେ ହଠାତ ଶହଶହ ସଂଖ୍ୟାରେ ମହୁମାଛି ଗୋଡେଇ ଗୋଡେଇ କାମୁଡ଼ିଥିଲେ। ଘଟଣାସ୍ଥଳରେ ଜଣକର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ସାଙ୍ଗରେ ଯାଇଥିବା ଅନ୍ୟ ୪ ଜଣ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ମୃତକ ହେଲେ ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ମାଙ୍କଡ଼ପଡ଼ା ପଞ୍ଚାୟତ ଚେମଚଟା ଗ୍ରାମର ସନିଆ ଭକ୍ତା (୨୫)। ସୂଚନା ମୁତାବକ, ଚେମଚଟା ଗ୍ରାମର ଲୋଧା ସମ୍ପ୍ରଦାୟର ୭ ଜଣ ବ୍ୟକ୍ତି ଗତକାଲି ଅପରାହ୍‌ଣରେ ମହୁ ସଂଗ୍ରହ ପାଇଁ ନିକଟସ୍ଥ ଜଙ୍ଗଲକୁ ଯାଇଥିଲେ। ସେମାନଙ୍କ ମଧ୍ୟରୁ ସନିଆ ଭକ୍ତା (୨୫), ରଞ୍ଜନ କଟୁଆଳ ଓ ଆକାଶ ନାଏକ ମହୁଫେଣା ଥିବା ଗଛ ଉପରେ ଚଢ଼ିଥିବାବେଳେ ଅନ୍ୟମାନେ ତଳେ ଥିଲେ। ତେବେ ମହୁ ଫେଣାଟି ଭାଙ୍ଗିଯିବାରୁ ମହୁମାଛିମାନେ କାମୁଡି ଗୋଡାଇଥିଲେ। ମହୁମାଛି ଆକ୍ରମଣରେ ସନିଆ ଭକ୍ତା ଗଛରୁ ଖସି ପଡ଼ିବାରୁ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ରଞ୍ଜନ ଓ ଆକାଶ ମଧ୍ୟ ମହୁମାଛି ଆକ୍ରମଣର ଶିକାର ହୋଇ ଗୁରୁତର ଆହତ ହୋଇଥିଲେ। ଅନ୍ୟ ୪ ଜଣ କୌଣସି ମତେ ସେଠାରୁ ପଳାଇ ଆସିବା ପରେ ଗାଁ ଲୋକଙ୍କୁ ଖବର ଦେଇଥିଲେ। ଗ୍ରାମବାସୀଙ୍କ ସହାୟତାରୁ ଆହତମାନଙ୍କୁ ଉଦ୍ଧାର କରି ଉଦଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ବିଳମ୍ବିତ ରାତିରେ ସନିଆଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ୨ ଜଣ ଚିକିତ୍ସାଧୀନ ଅଛନ୍ତି।

ସମ୍ବନ୍ଧିତ ଖବର