ବୋମା ଭିଡ଼ିଲା ବେଳେ ବିସ୍ଫୋରଣ; ଜଣେ ମୃତ, ୨ ଗୁରୁତର

ବାର୍‌ହା ପାଟିରେ ଫୁଟିବା ଆଗରୁ ହାତରେ ଫୁଟିଲା, ଛାତରୁ ବିସ୍ଫୋରକ ସାମଗ୍ରୀ, ଅଫୁଟା ବୋମା ଜବତ

ଶେରଗଡ଼ : ବାର୍‌ହା ଶିକାର ଲାଗି ବୋମା ଭିଡ଼ୁଥିଲେ। ଏ ସମୟରେ ହାତରେ ବୋମା ଫୁଟିଯିବାରୁ ଜଣେ ପ୍ରାଣ ହରାଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ୍ ତଥା ବଡ଼ଗଡ଼ ଥାନା ଅଧୀନ ଗାଙ୍ଗପୁର ପଞ୍ଚାୟତ ଆଦିବାସୀ ଅଧ୍ୟୁଷିତ ଭୀମପୁର ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଆଜି ଚାଞ୍ଚଲ୍ୟ ସୃଷ୍ଟି କରିଛି। ମୃତକ ଜଣକ ହେଉଛନ୍ତି, ସେହି ଗ୍ରାମର ଲିଙ୍ଗା ମଳିକଙ୍କ ପୁଅ ବୁଲୁ ମଳିକ (୩୦)। ସେହପରି ତାଙ୍କର ଦୁଇ ସହଯୋଗୀ ବାଟଶାସନ ଗ୍ରାମର ପ୍ରକାଶ ମାଝି (୪୬) ଓ ନନ୍ଦିଆ ନାୟକ (୪୦)ଙ୍କୁ ଗୁରୁତର ଅବସ୍ଥ‌ାରେ ଶେରଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ମିଳିଥିବା ସୂଚନାନୁସାରେ, ବୁଲୁ, ପ୍ରକାଶ ଓ ନନ୍ଦିଆ ବହୁ ଦିନ ‌ହେଲା ବ‌ିସ୍ଫୋରକ ସାମଗ୍ରୀ କିଣି ଆଣି ନି‌ଜେ ବୋମା ଭିଡ଼ୁଥିଲେ। ବାର୍‌ହା ଶିକାର ଲାଗି ଏହାକୁ ଜମିରେ ପକାଉଥିଲେ। ଏହାକୁ କୌଣସି ଫଳ ଭାବି ଖାଇବା ବେଳେ ବାର୍‌ହା ପାଟିରେ ବୋମା ବିସ୍ଫୋରଣ ଘଟିଥାଏ ଓ ମୃତ୍ୟୁ ହେଉଥିଲା। ତୋହାର ମାଂସକୁ ନେଇ ସେମାନେ ବିଭିନ୍ନ ସ୍ଥାନରେ ବିକ୍ରି କରିବା ସହ ଖାଉଥିଲେ। ସବୁଦିନ ଭଳି ଆଜି ସକାଳ ପ୍ରାୟ ସାଢ଼େ ୮ଟାରେ ବୁଲୁଙ୍କ ଘର ଛାତ ଉପରେ ବି‌‌ସ୍ଫୋରକ ସାମଗ୍ରୀ ସହ ବୋମା ଭିଡ଼ା ଚାଲିଥିଲା। କିନ୍ତୁ ଅସାବଧାନତା ବଶତଃ ଏହା ପ୍ରଚଣ୍ଡ ଶଦ୍ଦ କରି ଫୁଟି ଯାଇଥିଲା। ଶଦ୍ଦ ଶୁଣି ଗ୍ରାମବାସୀ ଓ ପରିବାରବର୍ଗ ଛାତ ଉପରକୁ ଗଲା ବେଳକୁ ବୁଲୁଙ୍କ କ୍ଷତାକ୍ତ ଶବ ପଡ଼ିଥିଲା। ପ୍ରକାଶ ଓ ନନ୍ଦିଆ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଛଟପଟ ହେଉଥିଲେ। ୧୦୮ ଆମ୍ବୁଲାନ୍ସ୍ ଯୋଗେ ଉଭୟଙ୍କୁ ଶେରଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଯାଇ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରା ଯାଇଥିଲା। ଉଭୟଙ୍କ ଛାତି, ମୁହଁ ଓ ହାତରେ ଗଭୀର ଆଘାତ ଲାଗିଛି। ନନ୍ଦିଆଙ୍କ ଅବସ୍ଥା ସଂକଟାପନ୍ନ ଥିବା ଜଣାପଡ଼ିଛି।

ଆସିକା ପ୍ରୋବେସନାରି ଆଇପିଏସ୍ ଜି.ବି.ରାଘବନ୍‌, ଆସିକା ଏସଡିପିଓ ସୂର୍ଯ୍ୟମଣି ପ୍ରଧାନ, ଶେରଗଡ଼ ଥାନାଧିକାରୀ ରମେଶ ଚନ୍ଦ୍ର ଦାସ, ବଡ଼ଗଡ଼ ଥାନାଧିକାରୀ ପ୍ରତାପ ଚନ୍ଦ୍ର ତ୍ରିପାଠୀ, ଆସିକା ଥାନାଧିକାରୀ ପ୍ରଶାନ୍ତ କୁମାର ସାହୁ ଓ ଏସ୍ଆ‌ଇ ବିଦେଶୀ ସେଠୀ ପ୍ରମୁଖ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ଏହାସହ ଛତ୍ରପୁରରୁ ସାଇଣ୍ଟିଫିକ୍ ଟିମ୍ ଓ ବୋମା ସ୍କ୍ବାଡ଼୍ ପହଞ୍ଚି ଛାନ୍‌ଭିନ୍ କରିଥିଲେ। ତେବେ ଘଟଣାକୁ ଲୁଚାଇବାକୁ ଯାଇ ମୃତକ ବୁଲୁଙ୍କ ପରିବାର ସଂଗେ ସଂଗେ ରକ୍ତଛିଟାକୁ ପୋଛି ଦେଇଥିବା ଜଣାପଡ଼ିଛି। ପୁଲିସ ସେଠାରୁ କାଚ କପଡ଼ା, ସୁତୁଲି, ନଡ଼ିଆ ଖୋଳପା, ଦୁଇଟି ଅଫୁଟା ବୋମା ଓ କିଛି ବାଣ ଜବତ ହୋଇଛି। ବାର୍‌ହା ଶିକାର ପାଇଁ ବୋମା ଭିଡ଼ା ଯାଉଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବାବେଳେ ବଡ଼ଗଡ଼ ଥାନାରେ କେସ୍ ନମ୍ବର ୨୮୩ ଅନୁସାରେ ମାମଲା ରୁଜୁ ହୋଇଛି।

ସମ୍ବନ୍ଧିତ ଖବର