ଦୁଇ ଟ୍ରକ୍‌ ମଧ୍ୟରେ ଧକ୍କା: ଜଣେ ମୃତ, ୨ ଆହତଙ୍କୁ ଡାକ୍ତରଖାନା ନେଲେ କେନ୍ଦୁଝର ଏସ୍‌ପି

କେନ୍ଦୁଝର : ଆଜିଥିଲା ବିଶ୍ବ ମାନବିକତା ଦିବସ। ଏହି ଦିବସରେ କେନ୍ଦୁଝର ଏସ୍‌ପି ଜୟନାରାୟଣ ପଙ୍କଜ ମାନବିକତା ଦେଖାଇଛନ୍ତି। ଆଜି ଆନନ୍ଦପୁରରେ ଜିଲ୍ଲାପାଳ ଏବଂ ଏସପିଙ୍କ ମିଳିତ ଅଭିଯୋଗ ଶୁଣାଣି ଥିଲା। ସେଠାରୁ ଫେରିବାବେଳେ ଗୋପାଳପୁର ନିକଟରେ ଦୁଇଟି ଟ୍ରକ୍‌ ମଧ୍ୟରେ ଦୁର୍ଘଟଣା ହୋଇଥିଲା। ଘଟଣାସ୍ଥଳରେ ଜଣେ ଟ୍ରକ୍‌ ଡ୍ରାଇଭରଙ୍କର ମୃତ୍ୟୁ ହୋଇଥିଲା। ଅନ୍ୟ ଟ୍ରକ୍‌ର ଡ୍ରାଇଭର୍‌ ଓ ହେଲ୍‌ପର୍‌ ଗୁରୁତର ହୋଇଥିଲେ। ଦୁହିଁଙ୍କୁ ଏସପି ଶ୍ରୀ ପଙ୍କଜ ନିଜ ଗାଡ଼ିରେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ।

ଘଟଣାସୂତ୍ରରୁ ପ୍ରକାଶ ଯେ, ଆଜି ଅପରାହ୍‌ଣ ଅଢ଼େଇଟା ପାଖପାଖିରେ ‌୨୦ ନମ୍ବର ଜାତୀୟ ରାଜପଥ ଗୋପାଳପୁର ନିକଟରେ ୨ଟି ଟ୍ରକ ମୁହାଁମୁହିଁ ଧକ୍କା ହୋଇଥିଲା। (ଓଡି-୧୭ଆର-୦୩୦୮) ଟ୍ରକର ଡ୍ରାଇଭର ଚାପି ହୋଇ ପ୍ରାଣ ହରାଇଥିଲେ। ତାଙ୍କର ପରିଚୟ ମିଳିପାରିନାହିଁ। ସେହିପରି ଅନ୍ୟ ଟ୍ରକର ଡ୍ରାଇଭର ଝୁମ୍ପୁରା ଥାନା ରାଇକଳା ନିକଟ ଭଗାବନ୍ଧ ଗ୍ରାମର ପୀତାମ୍ବର ମହାନ୍ତ (୨୬) ଓ ହେଲ୍‌ପର୍‌ ନଗରପାଳ ଗ୍ରାମର ଶିରପାଣି ମୁଣ୍ଡା (୨୫) ଗୁରୁତର ହୋଇଥିଲେ। ସେମାନେ ବର୍ତ୍ତମାନ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ଖବର ପାଇ ଦମକଳ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଟ୍ରକକୁ କାଟି ସେଥିରୁ ଡ୍ରାଇଭରଙ୍କ ମୃତଦେହକୁ ଉଦ୍ଧାର କରିଥିଲେ।

ସମ୍ବନ୍ଧିତ ଖବର