ଟିଭି ଦେଖିଲାବେଳେ ବିସ୍ଫୋରଣ : ପତ୍ନୀ ମୃତ; ସ୍ବାମୀ, ଶିଶୁକନ୍ୟା ଗୁରୁତର

ସୁନ୍ଦରଗଡ଼ : ଶୁକ୍ରବାର ଅପରାହ୍‌ଣ ୫ଟାରେ ଧରୁଆଡିହି ଥାନା ଲହଣ୍ଡାବୁଡ଼ରେ ଟିଭି ଦେଖିଲାବେଳେ ହଠାତ୍ ବିସ୍ଫୋରଣ ଘଟିବାରୁ ନିଆଁ‌ରେ ପୋଡ଼ି ଘଟଣାସ୍ଥଳ‌ରେ ଜଣେ ମହିଳା ବବି ନାଏକଙ୍କର ଶୋଚନୀୟ ମୃତ୍ୟୁ ହୋଇଛି। ନିଆଁରେ ସ୍ବାମୀ ଡିଲେଶ୍ବର ଓ ୮ ମାସର ଝିଅ ମଧ୍ୟ ଗୁରୁତର ହୋଇଛନ୍ତି। ତାଙ୍କୁ ଗାଁ ଲୋ‌କେ ଉଦ୍ଧାର କରି ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ଡାକ୍ତର ପରେ ବାପା ଓ ଝିଅଙ୍କୁ ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲକୁ ସ୍ଥାନାନ୍ତର କରିଛନ୍ତି। ସର୍ଟ ସର୍କିଟ ଯୋଗୁଁ ଟିଭିରେ ବିସ୍ଫୋରଣ ହୋଇ ଏତେ ବଡ଼ ଅଘଟଣ ଘଟିଥିବା କୁହାଯାଉଛି।

ମିଳିଥିବା ସୂଚନା ଅନୁସାରେ, ଆଜି ଅପରାହ୍‌ଣରେ ସ୍ବାମୀ ଡିଲେଶ୍ବର ପତ୍ନୀ ବବି ନାଏକଙ୍କ ସହିତ ୮ ମାସର ଝିଅକୁ କୋଳରେ ଧରି ପୁରୁଣା ମଡେଲ୍‌ର ଏକ ଟିଭିସେଟ୍‌ରେ ଧାରାବାହିକ ଦେଖୁଥିଲେ। ଠିକ୍‌ ୫ଟା ସମୟରେ ହଠାତ୍‌ ଟିଭିରେ ବିସ୍ଫୋରଣ ହୋଇ ନିଆଁ ଛିଟିକି ଆସି ସାମନାରେ ବସିଥିବା ବବିଙ୍କ ଦେହରେ ଲାଗି ଯାଇଥିଲା। ଡିଲେଶ୍ବର ଝିଅକୁ ବବିଙ୍କ କୋଳରୁ ଉଠାଇ‌ ନେଇ ଦୂରକୁ ଫିଙ୍ଗିଦେଇ ପତ୍ନୀଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। ହେଲେ ସେତେବେଳକୁ ପତ୍ନୀ ସମ୍ପୂର୍ଣ୍ଣ ଜଳି ଯାଇଥିଲେ। ଘଟଣାସ୍ଥଳରେ ହିଁ ସେ ପ୍ରାଣ ହରାଇଥିଲେ। ଡିଲେଶ୍ବରଙ୍କ ଚିତ୍କାର ଶୁଣି ପଡ଼ୋଶୀମାନେ ଧାଇଁ ଆସିଥିଲେ ମଧ୍ୟ କବାଟ ଭିତରୁ ବନ୍ଦ ଥିବାରୁ ଭିତରେ ପଶି ପାରି ନଥିଲେ। ପରେ ଡିଲେଶ୍ବର କବାଟ ଖୋଲି ବାହାରକୁ ଆସିଥିଲେ। ତୁରନ୍ତ ଅଗ୍ନିଶମ ବିଭାଗ ଓ ଆମ୍ବୁଲାନ୍ସକୁ ଖବର ଦିଆଯାଇଥିଲା। ଅଗ୍ନିଶମ ବାହିନୀ ପହଞ୍ଚିଲା ବେ‌ଳକୁ ଲୋକେ ନିଆଁ ଲିଭାଇ ସାରିଥିଲେ। ଆମ୍ବୁଲାନ୍ସରେ ବାପା ଓ ଝିଅଙ୍କୁ ସୁନ୍ଦରଗଡ଼ ଡାକ୍ତରଖାନା ଅଣାଯାଇଥିଲା।

ସମ୍ବନ୍ଧିତ ଖବର