ଢେଙ୍କାନାଳ: ଢେଙ୍କାନାଳ ସହର ଉପକଣ୍ଠ ମହିଷାପାଟଠାରେ ଆଜି ଅପରାହ୍‌ଣରେ ଏକ ଷ୍ଟାର ହୋଟେଲ୍‌ ପଛପାଖରେ ସଂପ୍ରସାରଣ କାର୍ଯ୍ୟ କରାଯାଉଥିଲା। ତୃତୀୟ ମହଲାର ନିର୍ମାଣାଧୀନ ଛାତ ହଠାତ୍‌ ଭୁଶୁଡ଼ି ପଡ଼ିବାରୁ ଶ୍ରମିକମାନେ ଚାପିହୋଇ ରହିଯାଇଥିଲେ। ଖବରପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେଠାରୁ ଜଣକର ଶବ ଉଦ୍ଧାର କରାଯାଇଥିବା ବେଳେ ଗୁରୁତର ଅବସ୍ଥାରେ ୨ ଜଣଙ୍କୁ ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି। ଉଦ୍ଧାର କାର୍ଯ୍ୟ ଚାଲୁଥିବାରୁ କୋଠାତଳେ କେତେଜଣ ଚାପି ହୋଇ ରହିଛନ୍ତି ସ୍ପଷ୍ଟ ହୋଇନାହିଁ।

Advertisment

ସୂଚନା ମୁତାବକ, ମହିଷାପାଟଠାରେ ବରିଷ୍ଠ ଯୁବ ବ୍ୟବସାୟୀ ଦୀପକ ମିଶ୍ରଙ୍କର ଏକ ୫ ମହଲା ବିଶିଷ୍ଟ ଷ୍ଟାର୍‌ ହୋଟେଲ୍‌ ନିର୍ମାଣ ଚାଲିଛି। ସଂପୃକ୍ତ କୋଠାର ପଛପାଖକୁ ଲାଗି ୩ ମହଲା ବିଶିଷ୍ଟ ଅନ୍ୟ ଏକ କୋଠାର ସଂପ୍ରସାରଣ କାର୍ଯ୍ୟ ଚାଲିଥିବା ବେଳେ ତୃତୀୟ ମହଲାର ଛାତ ପଡ଼ୁଥିଲା। ଅପରାହ୍‌ଣ ପ୍ରାୟ ସାଢ଼େ ୪ଟା ସମୟରେ ନିର୍ମାଣାଧୀନ ଛାତର ପିଲାର୍‌ଗୁଡ଼ିକ ଭାଙ୍ଗି ହଠାତ୍‌ ଭୁଶୁଡ଼ି ପଡ଼ିଥିଲା। ସେଠାରେ କାମ କରୁଥିବା ଶ୍ରମିକମାନେ ଛାତ ତଳେ ଚାପି ହୋଇଯାଇଥିଲେ। ଖବରପାଇ ଅଗ୍ନିଶମ ବାହିନୀ, ପୁଲିସ ଘଟଣାସ୍ଥଳରେ ପହଞ୍ଚି ୨ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ପରେ ଅନ୍ୟଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି। ଭୁଶୁଡ଼ି ପଡ଼ିଥିବା ଛାତ ତଳେ ଆଉ ଶ୍ରମିକ ଅଛନ୍ତି କି ନାହିଁ ସେ ସଂପର୍କରେ କେହି ମୁହଁ ଖୋଲୁନାହାନ୍ତି। ଉଦ୍ଧାର କାର୍ଯ୍ୟ ସରିବା ପରେ ମୃତାହତଙ୍କ ସଂପର୍କରେ ସବିଶେଷ ଖବର ଜଣାପଡ଼ିବ।  ମୃତକ ଇନ୍ଦୁପୁର ପଞ୍ଚାୟତ ଖୁଣ୍ଟୁଝରି ଗ୍ରାମର ସୁଧାଂଶୁ ରାଉତ (ମୁନା) ହୋଇଥିବାବେଳେ ଗୁରୁତରମାନେ ସେହି ଗ୍ରାମର କୈଳାସ ରାଉତ ଓ ସମରେନ୍ଦ୍ର ରାଉତ ବୋଲି ସୂଚନା ମିଳିଛି। 

ଗୁରୁତରଙ୍କ ମଧ୍ୟରୁ ଜଣଙ୍କର ଦୁଇ ହାତ କଟିଯାଇଥିବା ବେଳେ ଅନ୍ୟଜଣଙ୍କର ଅଣ୍ଟା ଓ ହାତ ଭାଙ୍ଗିଯାଇଛି। ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ମଧ୍ୟ ହୋଇଛି। ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ଏପରି ଏକ ବଡ଼ ଦୁର୍ଘଟଣାକୁ ନେଇ ସାଧାରଣରେ ଉଦ୍‌ବେଗ ପ୍ରକାଶ ପାଇଛି। କେତେଜଣ ସେଠାରେ କାର୍ଯ୍ୟ କରୁଥିଲେ ଓ ସେହି ଶ୍ରମିକମାନେ କେଉଁ ଅଞ୍ଚଳର ତାହା ମଧ୍ୟ ଅଦ୍ୟାବଧି ସନ୍ଦେହ ଘେରରେ ରହିଥିବା ବେଳେ ଶ୍ରମିକମାନେ ଖୁଣ୍ଟୁଝରି ଗ୍ରାମର ବୋଲି ଶୁଣିବାକୁ ମିଳୁଛି। ତଞ୍ଚକତା କରି ଘଟଣାସ୍ଥଳରୁ ସବୁ ଶ୍ରମିକଙ୍କୁ ପଠାଇ ଦିଆଯାଇଥିବାରୁ କାହାଠାରୁ କୌଣସି ଠିକ୍‌ ଖବର ମିଳିପାରୁ ନାହିଁ। ଘଟଣାସ୍ଥଳରେ ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ, ଏସ୍‌ପି ଅଭିନବ ସୋନକର, ଅତିରିକ୍ତ ଜିଲ୍ଲାପାଳ ରମେଶଚନ୍ଦ୍ର ସେଠୀ, ଉପଜିଲ୍ଲାପାଳ ବିବୁଧ ଗଡ଼ନାୟକ, ଏସ୍‌ଡିପିଓ ବିଭୂତି ମହାପାତ୍ର, ଅଗ୍ନିଶମ ଅଧିକାରୀ ପ୍ରଶାନ୍ତ କୁମାର ଧଳ ପ୍ରମୁଖ ପହଞ୍ଚି ଅନୁଧ୍ୟାନ କରିଛନ୍ତି। ୨ଟି ଜେସିବି ସାହାଯ୍ୟରେ ଭୁଶୁଡ଼ି ପଡ଼ିଥିବା ଛାତର ଲୁହାରଡ୍‌, ଜାଲି, ଭଙ୍ଗା ପିଲାର୍‌, କାଠ, ବାଉଁଶ, ପଟା ଆଦିକୁ ହଟାଯାଇ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଅଗ୍ନିଶମ ବାହିନୀ, ଓଡ୍ରାଫ୍‌ ଟିମ୍‌, ୧୦୮ ଆମ୍ବୁଲାନ୍ସ ଉଦ୍ଧାର କାର୍ଯ୍ୟରେ ସହଯୋଗ କରୁଛନ୍ତି।