ଖୁଦୁରୁକୁଣି ଓଷାରେ ନଦୀରେ ଗାଧୋଇବା ହେଲା କାଳ : ସାନକୁ ଉଦ୍ଧାର କରିବାକୁ ଯାଇ ଭାସିଗଲା ବଡ଼ ଭଉଣୀ, ଜଣେ ମୃତ, ୩ ଉଦ୍ଧାର

ଦଶପଲ୍ଲା : ଭାଦ୍ରବ ମାସର ଶେଷ ଖୁଦୁରୁକୁଣି ଓଷାକୁ ନେଇ ଭୋରରୁ ଉଠି ଆନନ୍ଦ ଉଲ୍ଲାସର ସହ ସାଜସଜ୍ଜା ଶେଷ ହୋଇଥିଲା। ନୂଆ ଜାମା ପିନ୍ଧି ଭାଇଙ୍କ ଶୁଭ ମନାସି ସାଙ୍ଗସାଥିଙ୍କ ମେଳରେ ଓଷା କରିବା ପାଇଁ ନଦୀକୁ ଗାଧୋଇବାକୁ ଯାଇଥିଲେ। ହେଲେ ନଦୀରେ ଭାସିଯାଇ ପ୍ରାଣ ହାରାଇଛନ୍ତି ୧୩ ବର୍ଷର ନାବାଳିକା ଶ୍ରଦ୍ଧାଞ୍ଜଳି ମାଝି (ଖୁସି)। ସାନ ଭଉଣୀକୁ ମରଣ ମୁହଁରୁ ଉଦ୍ଧାର କରିବାକୁ ଯାଇ ଶେଷରେ ନିଜେ ମୃତ୍ୟୁକୁ ବରଣ କରିନେଇଛନ୍ତି ବଡ଼ ଭଉଣୀ। ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍‌ ଟାକରା ପଂଚାୟତର ବୁରୁସାହି (ଜଡ଼ାତଇଳା) ଗ୍ରାମରେ। ଆଜି ପୂର୍ବାହ୍ଣ ପ୍ରାୟ ସାଢେ ୧୧ଟାରେ ଗ୍ରାମର ୭ ଜଣ ଝିଅ ଗାଧୋଇ ବାଲୁକା ପୂଜା କରିବା ପାଇଁ ବୃତଙ୍ଗ ନଦୀକୁ ଯାଇଥିଲେ। ଏହି ସମୟରେ ନଦୀରେ ପ୍ରମୋଦ ମାଝିଙ୍କ ସାନ ଝିଅ ଆରତୀ (ଲୁସି)ର ଗୋଡ଼ ଖସିଯିବାରୁ ସେ ଭାସି ଯାଉଥିବା ଦେଖି ତାକୁ ଉଦ୍ଧାର କରିବା ପାଇଁ ବଡ଼ ଭଉଣୀ ଶ୍ରଦ୍ଧାଞ୍ଜଳି, ଯମୁନା ନାୟକ ଏବଂ ଜିତା ସାହୁ ଜଣଙ୍କ ପରେ ଜଣେ ଲମ୍ଫ ମାରିଥିଲେ। ତେବେ ସମସ୍ତେ ଭାସି ଯାଉଥିବା ଦେଖି ସ୍ଥାନୀୟ ଜନସାଧାରଣ କିଛି ବାଟ ମଧ୍ୟରେ ଆରତୀ, ଜମୁନା ଓ ଜିତାଙ୍କୁ ଉଦ୍ଧାର କରିଥିବା ବେଳେ ଶ୍ରଦ୍ଧାଞ୍ଜଳିଙ୍କ କୌଣସି ପତ୍ତା ମିଳିନଥିଲା। ବୁରୁସାହି ଘାଟରୁ ପ୍ରାୟ ୩ କିମି ଭାସିଯିବା ପରେ ପେହେଲାଜୁ ଘାଟରୁ ସ୍ଥାନୀୟ ଜନସାଧାରଣ ଏବଂ ସ୍ଥାନୀୟ ଦମକଳ ବାହିନୀର କର୍ମଚାରୀମାନେ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରିଥିଲେ। ୧୦୮ ଯୋଗେ ଶ୍ରଦ୍ଧାଞ୍ଜଳିଙ୍କୁ ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଅନ୍ୟପାର୍ଶ୍ବରେ ଆରତୀ ଓ ଯମୁନାଙ୍କୁ ଅଚେତ ଅବସ୍ଥାରେ ସ୍ବାସ୍ଥ୍ୟକେନ୍ଦ୍ର ଅଣାଯାଇଥିଲା ଏବଂ ଏବେ ଚିକିତ୍ସା କରାଯାଉଛି। ଏ ସମ୍ପର୍କରେ ଦଶପଲ୍ଲା ପୁଲିସ ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଶବ ବ୍ୟବଚ୍ଛେଦ କରାଯାଇଛି। ମୃତ ଛାତ୍ରୀ ଜଣକ ୮ମ ଶେଣୀରେ ପଢୁଥିବା ଜଣାପଡିଛି।

ପୋଖରୀରେ ବୁଡ଼ି ନାବାଳକ ମୃତ
ରଣପୁର : ରଣପୁର ବ୍ଲକ୍‌ ଅନ୍ତର୍ଗତ ମୟୂରଝାଲିଆ ଗାଁ’ର ବାଦଲ ସାମନ୍ତରାୟ (୧୫) ନାମକ ଜଣେ ନାବାଳକ ଖୁଦୁରୁକୁଣି ଓଷା ଅବସରରେ ନିଜ ଭଉଣୀ ସହ ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ ପୋଖରୀରେ ବୁଡ଼ି ମୃତ୍ୟୁ ଘଟିଥିବା ଜଣାଯାଇଛି। ଖବର ନେବାରେ ଜଣାଯାଇଛି, ମୟୂରଝାଲିଆ ଗାଁ’ ଦୋଳମଣ୍ତପ ସାହିର ମାମୁନି କଳସଙ୍କ ପୁଅ ବାଦଲ ଆଜି ଶେଷ ଖୁଦୁରୁକୁଣି ଓଷା ଉତ୍ସବ ଅବସରରେ ମଧ୍ୟାହ୍ନ ସାଢେ ୧ ଟାରେ ନିଜ ଭଉଣୀ ଓ ତାର ସାଙ୍ଗ ସାଥୀ ସହ ନିକଟରେ ଥିବା ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ହେଲେ ସେଠାରେ ଅସାବଧାନତାବଶତଃ ବାଦଲଙ୍କ ଗୋଡ଼ ଖସିଯିବାରୁ ଗଭୀର ପାଣି ଭିତରକୁ ପଶି ଯାଇଥିଲେ। ହେଲେ ପୋଖରୀ ତୁଠରେ ଥିବା ଅନ୍ୟ ପିଲାମାନେ ଏ ସବୁ ଦେଖି ଭୟଭୀତ ହୋଇ ଘର ଲୋକଙ୍କୁ ଜଣାଇଥିଲେ। ପରିବାର ଲୋକେ ସାହି ପଡୋଶୀଙ୍କ ସହ ମିଶି ପୋଖରୀ ତୁଠରେ ପହଞ୍ଚି ଅଚେତ ଅବସ୍ଥାରେ ବାଦଲଙ୍କୁ ଉଦ୍ଧାର କରି ପ୍ରାଥମିକ ଚିକିତ୍ସା ପାଇଁ ପ୍ରଥମେ ଟାଙ୍ଗୀ ହସ୍ପିଟାଲ୍‌ ଓ ପରେ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର