ବାରହା ଆକ୍ରମଣରେ ଜଣେ ମୃତ, ୩ ଗୁରୁତର

କାଳିଆପାଣି: ଯାଜପୁର ଜିଲ୍ଲା ଟମକା ରେଞ୍ଜ ଅନ୍ତର୍ଗତ ମହାଗିରି ସୁରକ୍ଷିତ ଜଙ୍ଗଲର ଗଣ୍ଡାନାଳ ପାଖରେ ରକ୍ତମୁଖା ଜଙ୍ଗଲୀ ବାରହା ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଗୁରୁତର ହୋଇଥିବାର ଖବର ମିଳିଛି। ମୃତକ ଜଣକ ଘଟଣା ସ୍ଥଳଠାରୁ ମାତ୍ର ଏକ କିଲୋମିଟର ଦୂର ଉପର ଟମକା ବସ୍ତିର ମନୋଜ ଦାସ(୩୭)। ଆହତମାନେ ହେଲେ ସେହି ଗ୍ରାମର ବରିଷ୍ଠ ନାଗରିକ ଦମ୍ପତି କୁନ୍ତଳା ଓ ମଙ୍ଗଲ ନାୟକ(୬୦, ୬୫) ଏବଂ ମାଳତୀ ଦାସ(୫୬)।
ଦିନ ୧୨ଟା ବେଳେ ବାରହା ପାଣି ପିଇବା ପାଇଁ ମହାଗିରି ପାହାଡରୁ ତଳକୁ ଓହ୍ଲାଇଥିଲା। ଉପର ଟମକାର ଏହି ବ୍ୟକ୍ତିମାନେ ଜାଳକାଠ ଆଣିବା ପାଇଁ ଜଙ୍ଗଲ ଯାଉଥିବା ବେଳେ ବାରହା ସହିତ ମୁହାଁମୁହିଁ ହୋଇଥିବା କୁହାଯାଇଛି। ଦାନଗଦୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ମନୋଜ ଦାସଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାଥମିକ ଚିକିତ୍ସା ପରେ ଆହତମାନଙ୍କୁ କଟକ ବଡମେଡିକାଲ ପଠାଯାଇଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର