ପୁରୀ : ପେଣ୍ଠକଟା ମେରାଇନ୍ ଥାନା ଅନ୍ତର୍ଗତ ନାଗପାଟଣା-ବାଲିଗୁଆଳି ଜାତୀୟ ରାଜପଥ ଉପରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ତିନି ଜଣ ଗୁରୁତର ଅବସ୍ଥାରେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି ହୋଇଛନ୍ତି। ପୁରୀ ସ୍ବର୍ଗଦ୍ବାରରେ ସଂପର୍କୀୟଙ୍କ ଶବଦାହ କରି ଫେରିବା ବେଳେ ଘଟିଛି ଏହି ଦୁର୍ଘଟଣା। ମୃତକ ହେଲେ ଖୋର୍ଧା ଜିଲ୍ଲା ବାଲିପାଟଣା ଥାନା ଆମଲାକୁଦର ଅଶ୍ବିନୀ କୁମାର ପାଇକରାୟ ଜଗଦେବ ମହାପାତ୍ର (୫୫)। ଆହତମାନେ ହେଲେ ଆମଲାକୁଦର ବଦ୍ରିନାରାୟଣ ମହାପାତ୍ର (୫୨), ବ୍ରହ୍ମାନନ୍ଦ ବାରିକ (୬୦) ଓ ସତ୍ୟନାରାୟଣ ମହାପାତ୍ର (୬୫)।
/sambad/media/post_attachments/wp-content/uploads/2019/09/ac-1.jpg)
ମିଳିଥିବା ସୂଚନା ମୁତାବକ, ସତ୍ୟନାରାୟଣଙ୍କ ମା’ ଗୋଲାପ ମହାପାତ୍ର (୮୮)ଙ୍କର ବୟସାଧିକ କାରଣରୁ ଆଜି ମୃତ୍ୟୁ ହୋଇଥିଲା। ପୁଅ ସତ୍ୟନାରାୟଣଙ୍କ ସହ ଅଶ୍ବିନୀ, ବ୍ରଦିନାରାୟଣ ଓ ବ୍ରହ୍ମାନନ୍ଦ ଆଜି ଏକ ମାରୁତି-୮୦୦ କାରରେ ଅପରାହ୍ଣରେ ଶବଦାହ ପାଇଁ ପୁରୀ ସ୍ବର୍ଗଦ୍ବାରକୁ ଆସିଥିଲେ। ଶବ ସତ୍କାର କାମ ସାରି ରାତି ପ୍ରାୟ ୧୦ଟାରେ ଘରକୁ ଫେରୁଥିଲେ। ହଠାତ୍ ନାଗପାଟଣା-ବାଲିଗୁଆଳି ମଝିରେ ଗାଡ଼ି ଚକା ପମ୍ପଚର୍ ହୋଇ ଯାଇଥିଲା। ରାସ୍ତାକଡ଼ରେ ଗାଡ଼ି ରଖି ନୂଆ ଷ୍ଟେପିନ୍ ଲଗାଯାଇଥିଲା। ସତ୍ୟନାରାୟଣ ଗାଡ଼ି ଭିତରେ ବସିଥିବା ବେଳେ ଅନ୍ୟ ତିନି ଜଣ ବାହାରେ ଗାଡ଼ି ମରାମତି କରୁଥିଲେ। ଏହି ସମୟରେ ପୁରୀ ଆଡ଼ୁ ଦ୍ରୁତଗତିରେ ଆସୁଥିବା ଏକ ବୋଲେରୋ ମରାମତି କରୁଥିବା ବ୍ୟକ୍ତି ଓ କାରକୁ ପିଟିଥିଲା। ଘଟଣାସ୍ଥଳରେ ହିଁ ଅଶ୍ବିନୀଙ୍କ ମୃତ୍ୟୁ ହୋଇ ଯାଇଥିଲା। ଅନ୍ୟମାନେ ଗୁରୁତର ଅବସ୍ଥାରେ ଛଟପଟ ହେଉଥିବା ବେଳେ ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ। ଦୁର୍ଘଟଣାରେ ବଦ୍ରିନାରାୟଣଙ୍କ ବାମଗୋଡ଼ ଓ ବାମହାତ ଭାଙ୍ଗି ଯାଇଥିବାବେଳେ ସତ୍ୟନାରାୟଣଙ୍କ ବାମ ହାତ ଭାଙ୍ଗିଯାଇଛି। ବ୍ରହ୍ମାନନ୍ଦଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଛି। ତିନିଜଣ ଏବେ ଚିକିତ୍ସାଧୀନ ରହିଛନ୍ତି। ବୋଲେରୋ ଚାଳକ ଅତ୍ୟଧିକ ମଦ୍ୟପାନ ଯୋଗୁଁ ଦୁର୍ଘଟଣା ଘଟାଇଥିବା ମୃତକଙ୍କ ପରିବାର ଲୋକେ କହିଛନ୍ତି। ଦୁର୍ଘଟଣା ଘଟାଇଥିବା ବୋଲେରୋକୁ ପୁଲିସ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/09/One-Dead-and-Three-Injured_Thumbnail.jpg)