ଗଣେଶ ଭସାଣିରେ ଅଘଟଣ: ଡିଜେ ଗାଡ଼ିରେ ବିଦ୍ୟୁତ୍‌ ତାର ଲାଗି ଜଣେ ମୃତ, ୩ ଗୁରୁତର

ରସୁଲପୁର/ଧର୍ମଶାଳା : ଗଣେଶ ପୂଜା ଭସାଣିରେ ଅଘଟଣ। ଡିଜେ ଗାଡ଼ି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିଯିବାରୁ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ଏହି ଘଟଣାରେ ଅନ୍ୟ ତିନିଜଣ ଯୁବକ ଗୁରୁତର ଆହତ ହୋଇଛନ୍ତି। ମୃତ ଯୁବକ ଗୋପାଳପୁର ଗ୍ରାମର ଡିଜେ ମାଲିକ ଦୋଳଗୋବିନ୍ଦ ଓଝାଙ୍କ ପୁଅ ଶୁଭଙ୍କର ଓରଫ୍ ବାପି(୧୯)। ଆହତମାନେ ହେଲେ ନୀଳମଣି ଗୁଇଁଙ୍କ ପୁଅ କାହ୍ନା(୧୮), ବେତଣ୍ତା ଗ୍ରାମର ମୋହନ ସ୍ବାଇଁଙ୍କ ପୁଅ ବଳରାମ (୨୦) ଓ ପୁରସ୍ତମ ସ୍ବାଇଁଙ୍କ ପୁଅ ଦିବାକର(୨୩)। ସେମାନେ ଡିଜେ ଗାଡ଼ିରେ ବସି ଯାଉଥିବା ବେଳେ ଝୁଲି ପଡ଼ିଥିବା ୧୧କେଭି ବିଦ୍ୟୁତ୍‌ ତାର ଲାଗି ଯାଇଥିଲା। ଧର୍ମଶାଳା ଥାନା ଅନ୍ତର୍ଗତ ବାରବାଟୀ ପଞ୍ଚାୟତ ଫୁଲାଡ଼ି ଗ୍ରାମରେ ଏହି ଘଟଣାକୁ ନେଇ ‌‌ଶୋକର ଛାୟା ଖେଳିଯାଇଛି।

ବେତଣ୍ତା ଗ୍ରାମ ନ୍ୟୁ ଜେନେରେସନ କ୍ଲବ୍‌ର ଗଣେଶ ମୂର୍ତ୍ତି ବିସର୍ଜନ ପାଇଁ ଡିଜେ ସାଉଣ୍ତ ବଜାଯାଉଥିଲା। ଶୋଭାଯାତ୍ରା ଗୋପାଳପୁର ଗ୍ରାମରୁ ବାରବାଟୀ ବଜାର ଦେଇ ଫୁଲାଡ଼ି ଆସୁଥିଲା। ଗାଡ଼ି ଉପରେ ୪ଜଣ ଯୁବକ ବସିଥିଲେ। ଫୁଲାଡ଼ି ଗ୍ରାମ ନିକଟରେ କମ ଉଚ୍ଚତାରେ ଥିବା ୧୧ କେଭି ବିଦ୍ୟୁତ୍‌ ତାର ସେମାନଙ୍କ ଦେହରେ ଲାଗି ଯାଇଥିଲା। ଗୁରୁତର ଆହତ ଯୁବକମାନଙ୍କୁ ଧର୍ମଶାଳା ଗୋଷ୍ଠୀ ସ୍ବସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ବାପିଙ୍କୁ ମୃତ ଘୋଷଣା କରିଥିଲେ। ଦୁଇ ଆହତଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଧର୍ମଶାଳା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର