ବଅଁରପାଳ : ୫୫ ନମ୍ବର ଜାତୀୟ ରାଜପଥ ପ୍ରଶସ୍ତୀକରଣ ପାଇଁ ପ୍ରଶାସନ ପକ୍ଷରୁ ଏବେ ବଅଁରପାଳ ବ୍ଲକ୍‌ ନୂଆହତା ଅଞ୍ଚଳରେ ଅଧିଗୃହୀତ ଜାଗାରୁ ଘର ଉଚ୍ଛେଦ କରାଯାଉଛି। ନୂଆହତା ବାଲିସାହିର ଧନେଶ୍ୱର ମୁଦୁଲି ଆଜି ନିଜେ ଲୋକ ଲଗାଇ ତାଙ୍କ ଘର ଭାଙ୍ଗିବା ସମୟରେ ଛାତ ଭୁଶୁଡ଼ିପଡ଼ିବାରୁ ଜଣେ ଶ୍ରମିକଙ୍କର ପ୍ରାଣହାନି ଘଟିଛି। ଦୁର୍ଘଟଣାରେ ଧନେଶ୍ବର ଓ ୩ ଜଣ ଶ୍ରମିକ ଆହତ ହୋଇଛନ୍ତି। ତାଙ୍କ ମଧ୍ୟରୁ ୨ଜଣ ଶ୍ରମିକଙ୍କ ଅବସ୍ଥା ଗୁରୁତର ରହିଛି।

Advertisment

ସୂଚନା ଅନୁଯାୟୀ, ପ୍ରଶାସନ ପକ୍ଷରୁ ଘର ଭଙ୍ଗାଗଲେ କାଳେ ଅଧିକ ଘର ଭାଙ୍ଗିଯିବ ଓ ସେଥିରେ ଥିବା ଇଟା, ମାଙ୍କଡ଼ା ପଥର ନଷ୍ଟ ହୋଇଯିବ, ସେହି ଆଶଙ୍କାରେ ଧନେଶ୍ବର ୪ ଜଣ ଶ୍ରମିକ ନିୟୋଜିତକରି ଘର ଭାଙ୍ଗୁଥିଲେ। ପୂର୍ବରୁ ଘରର ଛାତ ମେସିନରେ କଟାଯାଇଥିବାରୁ ତାହା ବିପଦସଂକୁଳ ଅବସ୍ଥାରେ ଥିଲା। ଆଜି ଶ୍ରମିକମାନେ ଝରକା କାଢ଼ିବା ପାଇଁ ଘର ଭିତରେ ଡ୍ରିଲ୍‌ କରୁଥିବାବେଳେ ମଧ୍ୟାହ୍ନ ୧୨ଟା ସମୟରେ ଛାତ ଭୁଶୁଡି ପଡ଼ିଥିଲା। ଫଳରେ ତିନିଜଣ ଶ୍ରମିକ ସିପୁନ ସାହୁ, ଅଜିତ ସାହୁ, ଜୟନ୍ତ ସାହୁ ଛାତ ତଳେ ଚାପି ହୋଇଯାଇଥିଲେ। ସେମାନେ ଗୁରୁତର ଆହତ ହୋଇଥିଲେ। ଧନେଶ୍ବର ଓ ଅନ୍ୟ ଜଣେ ଶ୍ରମିକ ବୀରେନ୍ଦ୍ର ପ୍ରଧାନ ଅଳ୍ପ ଆହତ ହୋଇଥିଲେ। ବୁଢ଼ାପଙ୍କ ଦମକଳ ବାହିନୀ ସ୍ଥାନୀୟ ଲୋକ ଓ ବଅଁରପାଳ ପୁଲିସ ସହଯୋଗରେ ଗୁରୁତର ଆହତ ୩ଜଣଙ୍କୁ ଉଦ୍ଧାରକରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ବୀରେନ୍ଦ୍ରଙ୍କୁ ବଅଁରପାଳର ଏକ ଘରୋଇ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା। ଧନେଶ୍ବର ଏକ ସ୍ଥାନୀୟ କ୍ଲିନିକ୍‌ରେ ଚିକିତ୍ସିତ ହୋଇ ଫେରିଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ସିପୁନଙ୍କର ମୃତ୍ୟୁ ଘଟିଛି। ଅଜିତ ଓ ଜୟନ୍ତ ସେଠାରେ ଚିକିତ୍ସିତ ହେଉଛନ୍ତି। ଏହି ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ମୃତକଙ୍କ ପରିବାର କ୍ଷତିପୂରଣ ପାଇଁ ଅଡ଼ି ବସିଥିବା ଜଣାପଡ଼ିଛି ।