ବାହାରୁ କବାଟ କିଳି ନିଆଁ ଲଗାଇଦେଲେ! ମହିଳା ମୃତ, ଶିଶୁ ସମେତ ୪ ଗୁରୁତର

ମାର୍ଶାଘାଇ : କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ଦୁମୁକା ପଞ୍ଚାୟତର ଗିରଙ୍ଗ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଅଗ୍ନିକାଣ୍ଡରେ ଜଣେ ମହିଳା ପ୍ରାଣ ହରାଇଛନ୍ତି। ୧୨ ଦିନର ଶିଶୁପୁତ୍ର ସହ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବାବେଳେ ଅବସ୍ଥା ସଂକଟାପନ୍ନ ରହିଛି। ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ିନାହିଁ। ହେଲେ, ନିଆଁ ଲାଗିବାବେଳେ କେହି ଘର ବାହାର ପଟୁ କବାଟ କିଳି ଦେବା ଓ ଚାରିପଟେ କିରାସିନି ଗନ୍ଧ ବାହାରିବା ଘଟଣାରୁ କିଛି ଷଡ଼୍‌ଯନ୍ତ୍ରର ଆଭାସ ମିଳିଛି।

ସୂଚନା ଅନୁଯାୟୀ, ଗ୍ରାମର ଟୁକୁନା ବାରିକ (୫୭)ଙ୍କ ପରିବାର ଲୋକ ସବୁଦିନ ପରି ଗତକାଲି ରାତିରେ ଖାଇପିଇ ଶୋଇଥିଲେ। ବିଳମ୍ବିତ ରାତିରେ ହଠାତ୍ ଘର ଭିତର ଜଳି ଉଠିଥିଲା। ଘରର ମୁଖ୍ୟ କବାଟ ବାହାର ପଟୁ ବନ୍ଦ ଥିବାରୁ କେହି ବାହାରକୁ ବାହାରି ପାରିନଥିଲେ। ଘର ଭିତର ଧୂଆଁରେ ଭରି ଯାଇଥିଲା। ସାନପୁଅ ସତ୍ୟବ୍ରତ, ପତ୍ନୀ ଉଷାରାଣୀ ଓ ପୁତ୍ର ସହ ଅନ୍ୟ ଏକ କୋଠରିରେ ଶୋଇଥିଲେ। ବାହାରକୁ ବାହାରିବାର ବାଟ ନ ପାଇ ଖଟ ଉପରେ ବାକ୍ସ ରଖି ପତ୍ନୀଙ୍କ ସହାୟତାରେ କୋଠରିର ସ୍କାଏ ଲାଇଟ ଭାଙ୍ଗି ବାହାରକୁ ଆସି ଦରଜା ଖୋଲି ସମସ୍ତଙ୍କୁ ବାହାରକୁ ଆଣିଥିଲେ।

ଅଗ୍ନିକାଣ୍ଡରେ ଟୁକୁନାଙ୍କ ସମେତ ପତ୍ନୀ ଗୀତାଞ୍ଜଳି(୫୫), ବଡ଼ ପୁଅ ଶିବବ୍ରତ, ବଡ଼ବୋହୂ ଶୁଭସ୍ମିତାଙ୍କ ସମେତ ୧୨ ଦିନର ନାତିଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ଡାକ୍ତରଖାନା ପଠାଯାଇଥିଲା। ସେଠା‌ରେ ଚିକିତ୍ସାଧୀନ ଅବସ୍ଥାରେ ଗୀତାଞ୍ଜଳିଙ୍କର ଆଜି ସକାଳେ ମୃତ୍ୟୁ ଘଟିଛି। ଅଗ୍ନିକାଣ୍ତର ପ୍ରକୃତ କାରଣ ଜଣା ପଡ଼ିନଥିଲେ ବି ପାରିପାର୍ଶ୍ବିକ ସ୍ଥିତିରୁ ପୂର୍ବ ଶତ୍ରୁତାକୁ ନେଇ କେହି ବାହାର ପଟୁ କବାଟ ବନ୍ଦ କରି ଟୁକୁନାଙ୍କ ଘ‌ରେ ନିଆଁ ଲଗାଇ ଦେଇଥିବା ସନ୍ଦେହ କରାଯାଉଛି। ସାନପୁଅ, ବୋହୂ ଆହତମାନଙ୍କ ସହ କଟକରେ ଥିବାରୁ ଥାନାରେ ଅଭିଯୋଗ ହୋଇନାହିଁ। ମାର୍ଶାଘାଇ ପୁଲିସ ଘଟଣାର ଛାନଭିନ୍ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର