ଖେଳପଡ଼ିଆ ପାଇଁ ଜୀବନ ସହ ଖେଳ : ଭୁଜାଲି ଚୋଟରେ ଜଣଙ୍କ ପ୍ରାଣଗଲା, ୫ ଆହତ

ଭଦ୍ରକ : ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଆର୍ଏନ୍ ବେତଡ଼ା ପଞ୍ଚାୟତର ଗୋହିରାଣୀ ଗ୍ରାମରେ ଆଜି ଅଭାବନୀୟ ଘଟଣା ଘଟିଛି। ଖେଳପିଡ଼ଆ ନିର୍ମ‌ାଣ ପାଇଁ ଦିଆଯାଇଥିବା କାର୍ଯ୍ୟାଦେଶକୁ ନେଇ ପୂର୍ବରୁ ଥିବା ବିବାଦରୁ ଦୁଇଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଛି। ଏପରି କି ପ୍ରତିପକ୍ଷ ସରପଞ୍ଚଙ୍କ ପୁଅ ଓ ତାଙ୍କ ସମର୍ଥକମ‌ାନେ ଜଣଙ୍କୁ ଗୋଡ଼ାଇ ଗୋଡ଼ାଇ ଭୁଜାଲିରେ ହାଣି ହତ୍ୟା କରିଛନ୍ତି। ଏହି ଘଟଣାରେ ଉଭୟ ଗୋଷ୍ଠୀର ୫ ଜଣ ଆହତ ମଧ୍ୟ ହୋଇଛନ୍ତି।

ସୂଚନା ଅନୁସାରେ; ଭଦ୍ରକ ବ୍ଲକ୍‌ ଅନ୍ତର୍ଗତ ଆର୍‌ଏନ୍‌ ବେତଡ଼ା ପଞ୍ଚାୟତର ଗୋହିରାଣୀ ଗ୍ରାମରେ ଏକ ଖେଳପଡ଼ିଆ ନିର୍ମାଣ ପାଇଁ ୩ ଲକ୍ଷ ୫୦ ହଜାର ଟଙ୍କା ମଂଜୁର ହୋଇଥିଲା। ଏହାର କାର୍ଯ୍ୟାଦେଶ ସମ୍ପୃକ୍ତ ଗ୍ରାମର ବୃନ୍ଦାବନ ସେଠୀଙ୍କୁ ଦିଆଯାଇଥିଲା। କାର୍ଯ୍ୟାଦେଶକୁ ସ୍ଥାନୀୟ ପଞ୍ଚାୟତର ସରପଞ୍ଚ ବିମ୍ବାଧର ଦାସଙ୍କ ପୁଅ ଦେବାଶିଷ ଦାସ ଓ ତାଙ୍କର କିଛି ସମର୍ଥକ ବିରୋଧ କରିବା ସହ ସେମାନେ ଉକ୍ତ କାମ କରିବାକୁ ଅଡ଼ିବସିଥିଲେ। ତେବେ ଆଜି ପୂର୍ବାହ୍ନ ପ୍ରାୟ ୧୦ଟା ବେଳେ କାମ କରିବାକୁ ନେଇ ଉଭୟ ପକ୍ଷ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ପରିସ୍ଥିତି ବିଗିଡ଼ିବା ସହିତ ସଂଘର୍ଷ ଆରମ୍ଭ ହୋଇଯାଇଥିଲା। ଦେବାଶିଷ ଓ ତାଙ୍କର ସମର୍ଥକମାନେ ବୃନ୍ଦାବନଙ୍କ ସହ ତାଙ୍କର ସଂପର୍କୀୟ ଭାଇ ଲୋକନାଥ ତଥା ଅନ୍ୟ ସହଯୋଗୀଙ୍କୁ ଆକ୍ରମଣ କରିଥିଲେ। ହେଲେ ଲୋକନାଥ ହାବୁଡ଼ରେ ପଡ଼ିଯିବାରୁ ପ୍ରତିପକ୍ଷ ତାଙ୍କୁ ଭୁଜାଲିରେ ନିର୍ମମ ଭାବେ ହାଣି ଦେଇଥିଲେ। ଫଳରେ ଘଟଣା ସ୍ଥଳରେ ଛଟପଟ ହୋଇ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଅନ୍ୟପଟେ ସଂଘର୍ଷରେ ଉଭୟ ଗୋଷ୍ଠୀର କାଶୀନାଥ ସେଠୀ, ସୁନୀଲ ସେଠୀ, ଅନୀଲ ସେଠୀଙ୍କ ସହ ଅନ୍ୟ ଦୁଇଜଣ ଆହତ ହୋଇଥିଲେ। ଖବର ପାଇ ଭଦ୍ରକ ଗ୍ରାମାଞ୍ଚଳ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ସମସ୍ତ ଆହତଙ୍କୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ।

ଅନ୍ୟପଟେ ଗ୍ରାମାଞ୍ଚଳ ଆଇଆଇସି ଓ ଏସ୍‌ଡିପିଓ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଆକ୍ରମଣକାରୀଙ୍କ ମଧ୍ୟରୁ ଦେବାଶିଷଙ୍କୁ ଅଟକ ରଖାଯାଇଛି। ସେହିପରି ସରପଞ୍ଚ ବିମ୍ବାଧର ଓ ଦେବାଶିଷଙ୍କ ସହ ୨୦ ଜଣଙ୍କ ନାମରେ ଗ୍ରାମାଞ୍ଚଳ ଥାନାରେ ୬୦୦/୧୮ରେ ମାମଲା ରୁଜୁ ହୋଇଛି। ହତ୍ୟାକାଣ୍ଡ ପରେ ଉତ୍ତେଜନା ଲାଗି ରହିଥିବା ବେଳେ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗାଁ ଓ ଡାକ୍ତରଖାନାରେ ପୁଲିସ ମୁତୟନ ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର