ବରଯାତ୍ରୀ ନେଇ ଯାଉଥିବା ବଲେରୋ ଦୁର୍ଘଟଣା, ଜଣେ ମୃତ, ୭ ଆହତ

ଉଲୁଣ୍ଡା/ ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅନ୍ତର୍ଗତ ଠେଙ୍ଗୋ ଡ୍ୟାମ୍‌କୁ ସଂଯୋଗ କରୁଥିବା ରାସ୍ତାର କଳାପଥର ବୁଲାଣିରେ ଏକ ବଲେରୋ ଗାଡ଼ି ଓଲଟି ପଡ଼ି କେନାଲକୁ ପଶିଗଲା। ଫଳରେ ଏଥିରେ ଜଣକର ମୃତ୍ୟୁ ହୋଇଛି। ୭ ଜଣ ଆହତ ହୋଇଥିବା ଜଣାଯାଇଛି।

ବୀରମହାରାଜପୁର ବ୍ଲକ୍‌ ହରିଣାପାଲି ଗାଁରୁ ଏକ ବରଯାତ୍ରୀ ଦଳ ମାଣିକପୁର ଯାଉଥିଲେ। ଏକ ବଲେରୋ (ଓଡି ୩୧ ଏଫ୍‌ ୫୭୫୭)ରେ ୮ ଜଣ ବରଯାତ୍ରୀ ଥିଲେ। ଗାଡ଼ିଟି ଦ୍ରୁତ ଗତିରେ ଯାଉଥିବା ବେଳେ କଳାପଥର ବୁଲାଣିରେ ଥିବା ଏକ ଖାଲରେ ପଡ଼ି ଭାରସାମ୍ୟ ହରାଇ କେନାଲ ଭିତରକୁ ପଶିଯାଇଥିଲା। ଅନ୍ୟ ଗାଡ଼ିରେ ଥିବା ବରଯାତ୍ରୀମାନେ ସେମାନଙ୍କୁ କେନାଲ ଭିତରୁ ଉଦ୍ଧାର କରି ବୀରମହାରାଜପୁର ଡାକ୍ତରଖାନାକୁ ନେଇଥିଲେ। ଗୁରୁତର ଥିବା ହରିଣାପାଲି ଗାଁର ଗୌରହରି ପୂଝାରୀ (୨୨)ଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଆହତଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ସୋନପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ପରେ ଖବର ପାଇ ବୀରମହାରାଜପୁର ଦମକଳ ବାହିନୀ ଘଟଣାସ୍ଥଳକୁ ପହଞ୍ଚି ଥିଲେ। ମାତ୍ର ସେଠାରେ ଆଉ କେହି ନଥିବାରୁ ଫେରି ଯାଇଥିଲେ। ଗାଡ଼ିଟି କେନାଲ ଭିତରେ ପଡ଼ିରହିଛି। ଦୁର୍ଘଟଣା ପରେ ଡ୍ରାଇଭର ଫେରାର୍‌ ହୋଇଯାଇଛି। ଏହି ଘଟଣା ପ୍ରଚାରିତ ହେବାରେ ପରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ବରଯାତ୍ରୀରେ ଯାଉଥିବା ବହୁ ଲୋକ ସେଠାରୁ ଘରକୁ ଫେରି ଯାଇଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର