ମହୁମାଛି ଆକ୍ରମଣରେ ବୃଦ୍ଧା ମୃତ, ୭ ଆହତ

ମୁନିଗୁଡ଼ା/ଅମ୍ବାଦଳା : ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକ କୁମୁଡ଼ାବାଲି ଅନ୍ତର୍ଗତ ଯୁଗାପଦର ଗ୍ରାମରେ ଅଭାବନୀୟ ଘଟଣା ଘଟିଛି। ମହୁମାଛି ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଥିବାବେଳେ ୭ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ ଥିବାରୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ବର୍ତ୍ତମାନ ମୁନିଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୪ ଜଣ ଚିକିତ୍ସିତ ହେଉଥିବାବେଳେ ଦୁଇ ଜଣଙ୍କୁ ପ୍ରାଥମିକ ଚିକିତ୍ସା ପରେ ଘରକୁ ପଠାଇ ଦିଆଯାଇଛି।

ସୂଚନା ଅନୁଯାୟୀ, ଯୁଗାପଦର ଗ୍ରାମର କାଲୋରୀ ସାରକା(୭୦) ପ୍ରତିଦିନ ଭଳି ଆଜି ନିଜ ଜମି ଦେଇ ଗାଁ ନିକଟସ୍ଥ ନଦୀକୁ ଗାଧୋଇବାକୁ ଯାଉଥିଲେ। ତେବେ, ନଦୀ ନିକଟରେ ହଠାତ୍‌ କିଛି ମହୁମାଛି କାଲୋରୀଙ୍କୁ ଅତର୍କିତ ଆକ୍ରମଣ କରିଥିଲେ। ପ୍ରାଣ ବିକଳରେ କାଲୋରୀ ଚିତ୍କାର କରିବାରୁ ଆଖପାଖ ଜମିରେ କାମ କରୁଥିବା ଯୁଗାପଦର ଗ୍ରାମର କିଛି ପୁରୁଷ ଓ ମହିଳା ଘଟଣା ସ୍ଥଳରେ ପହଞ୍ଚି କାଲୋରୀଙ୍କୁ ମହୁମାଛି କବଳରୁ ରକ୍ଷା କରିଥିଲେ। ସେତେବେଳକୁ କାଲୋରୀଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଥିଲା। ଏଥିସହ କାଲୋରୀଙ୍କୁ ରକ୍ଷା କରିବାକୁ ଯାଇଥିବା ୪ଜଣ ମହିଳା ଓ ୩ଜଣ ପୁରୁଷ ମହୁମାଛି ଆକ୍ରମଣରେ ଆହତ ହୋଇଥିଲେ। ପରେ ଗ୍ରାମବାସୀ ସମସ୍ତଙ୍କୁ ଉଦ୍ଧାର କରି ମୁନିଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ। କିନ୍ତୁ ଡାକ୍ତର କାଲୋରୀଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟପଟେ ଦୁଃଖୀ ଧାଙ୍ଗଡ଼ାମାଝୀଙ୍କ ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ ଥିବାରୁ ପ୍ରାଥମିକ ଚିକିତ୍ସା ପରେ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ବର୍ତ୍ତମାନ ମୁନିଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଶକୁନ୍ତଳା ବେରୁକ, ତାରା ବେରୁକ, ମନୀଷା ବେରୁକ ଓ ଜିତେନ୍ଦ୍ର ସାରକା ଚିକିତ୍ସିତ ହେଉଛନ୍ତି। ଅନ୍ୟ ଦୁଇ ଜଣ ଆହତଙ୍କୁ ଚିକିତ୍ସା ପରେ ଘରକୁ ଛାଡ଼ି ଦିଆଯାଇଥିବା ଜଣାପଡ଼ିଛି। ମହୁମାଛି ଆକ୍ରମଣରେ କାଲୋରୀ ସାରକାଙ୍କ ମୃତ୍ୟୁ ଘଟିବା ପରେ ପରିବାର ଲୋକ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି।

ସମ୍ବନ୍ଧିତ ଖବର