ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ : ଜଣେ ମୃତ, ୭ ଆହତ

ଜମନକିରା/ବୁର୍ଲା : ୫୩ ନମ୍ବର ଜାତୀୟ ରାଜପଥର ଜମନକିରା ଥାନାଠାରୁ ମାତ୍ର ୧୦୦ ମିଟର ଦୂରରେ ଶୁକ୍ରବାର ସକାଳେ ଶ୍ରୀ ଓମ୍‌ ଯାତ୍ରୀବାହୀ ବସ୍‌ (ଓଆର୍‌ ୧୫ଏନ୍‌-୧୫୯୫) ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ଜଣେ ଯାତ୍ରୀ ବେନିଆ ମିଞ୍ଜଙ୍କ ମୃତ୍ୟୁ ଘଟିଥିବା ବେଳେ ୭ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣକ ଅବସ୍ଥା ଗୁରୁତର ରହିଛି। ଉଦ୍ଧାର ପରେ ଆହତମାନଙ୍କୁ ଆମ୍ବୁଲାନ୍‌ସ ଯୋଗେ ବୁର୍ଲା ପଠାଯାଇଥିଲା।

ଦେବଗଡ଼ରୁ ସମ୍ବଲପୁର ପଟକୁ ଯାଉଥିବା ଉକ୍ତ ଘରୋଇ ବସ୍‌ ସକାଳ ପ୍ରାୟ ୮ଟା ବେଳେ ଜମନକିରା ଥାନା ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ହଠାତ୍‌ ଜଣେ ସାଇକଲ ଆରୋହୀ ରାଜପଥ ଉପରକୁ ଚାଲି ଆସିବାରୁ ତାଙ୍କୁ ବଞ୍ଚାଇବାକୁ ଯାଇ ରାସ୍ତା କଡ଼ରେ ଥିବା ଏକ ମହୁଲ ଗଛରେ ପିଟି ହୋଇଯାଇଥିଲା। ଫଳରେ ସାଇକଲ ଆରୋହୀ ଜମନକିରା ଥାନା ଟିକିଲିପଡ଼ା ଗାଁର ଆନନ୍ଦ ଭୋଇଙ୍କ ସହ ଦେବଗଡ଼ର ବେନିଆ ମିଞ୍ଜ, ଦେବଗଡ଼ ଥାନା ଭୁୟାଁ ସାହିର ଅକ୍ଷୟ ଫଟକା (୪୦), ଭେଜିକୁଦର ନାଗି ମୁଣ୍ଡା (୩୫), ଗୁଣ୍ଡେଇମୁରାର ମେରି ବାଗ (୫୦), ଛେପଲିପାଲି ପଞ୍ଚାୟତ ରଙ୍ଗମାଟିଆର ଦିନେଶ ରଣଜିତ, ଦେବଗଡ଼ ନୀଳବେର୍ଣ୍ଣି ସାହିର ନୀରା ପାତ୍ର (୪୫) ଓ ସାନ୍ତ୍ରାପାଲିର ଭ୍ରମରବର ବେହେରାଙ୍କ ପତ୍ନୀ ତିଳୋତ୍ତମା ବେହେରା ପ୍ରମୁଖ ଆହତ ହୋଇଥିଲେ।

ଦୁର୍ଘଟଣା ପରେ ବସ୍‌ ଚାଳକ ଓ କଣ୍ଡକ୍ଟର ଫେରାର୍‌ ହୋଇଯାଇଥିବା ବେଳେ ନିକଟରେ ଥିବା ସିଆର୍‌ପିଏଫ୍‌ କ୍ୟାମ୍ପ୍‌ର ଯବାନମାନେ ପହଞ୍ଚି ଉଦ୍ଧାରକାର୍ଯ୍ୟ କରିଥିଲେ। ଖବର ପାଇ ଲଇଡ଼ା, କୁଚିଣ୍ଡା ଓ ଜମନକିରା ଡାକ୍ତରଖାନାରେ ଥିବା ୩ଟି ଆମ୍ବୁଲାନ୍‌ସ ପହଞ୍ଚି ଆହତମାନଙ୍କୁ ବୁର୍ଲା ଡାକ୍ତରଖାନାକୁ ନେଇଥିଲେ। ତେବେ ସେଠାରେ ପହଞ୍ଚିବା ପରେ ବେନିଆ ମିଞ୍ଜ୍‌ଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ଅନ୍ୟମାନଙ୍କ ଚିକିତ୍ସା ଜାରି ରହିଛି। ଆହତଙ୍କ ମଧ୍ୟରୁ ଆନନ୍ଦ ଭୋଇଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର