ବାରାହା ଶିକାର ହେଲା କାଳ, ଶିକାରୀଙ୍କ ଗୁଳିରେ ସହଯୋଗୀଙ୍କର ମୃତ୍ୟୁ 

ରାୟଗଡ଼ା: ରାୟଗଡ଼ା ଜିଲ୍ଲାର କାଶୀପୁର ବ୍ଳକ ଅଣ୍ଡରାକୋଞ୍ଚ ଥାନା ଅନ୍ତର୍ଗତ କାଳିଆଯୋଡ଼ି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଗ୍ରାମର କିଛିଲୋକ ବାରାହା ଶିକାର ଉଦେଶ୍ୟରେ ନିକଟ ଏକ ପାହାଡ଼ ଉପରକୁ ଯାଇଥିଲେ, କିନ୍ତୁ ବାରାହା ଶିକାର ପୂର୍ବରୁ କୌଣସି କାରଣରୁ ବନ୍ଧୁକରେ ଥିବା ଗୁଳି ଫୁଟି ଯିବା ଫଳରେ ଉକ୍ତ ଲୋକଙ୍କ ମଧ୍ୟରୁ ଜଣଙ୍କ ଦେହରେ ବାଜି ତାଙ୍କ ମୃତ୍ୟୁହେଇ ଯାଇଥିଲା ।

ଶିକାରୀ ଗୁଳିରେ ମତ୍ୟୁ ହେଇଥିବା ବ୍ୟକ୍ତି ଜଣକ ହେଲେ କାଳିଆ ଯୋଡି ଗ୍ରାମର ସୁକ୍ରୁ ଝଡ଼ିଆଙ୍କର ପୁଅ ଖଗେଶ୍ୱର ଝଡ଼ିଆ (୩୬) ଗ୍ରାମବାସୀଙ୍କର ସୂଚନା ଅନୁଯାୟୀ, କିଛିଦିନ ଧରି ଏକ ବିରାଟ ଜଙ୍ଗଲୀ ବାରାହା ଅଞ୍ଚଳରେ ଉପଦ୍ରବ ଚଳାଇ ଦିନ ରାତି ମକା, ଧାନ ଫସଲ ନଷ୍ଟ କରୁଥିଲା । ଏଥିରେ ଅଞ୍ଚଳର ଲୋକେ ଅତିଷ୍ଠ ହେଇ ମଙ୍ଗଳବାର ଦିନ ଦ୍ୱିପହରରେ ମାଇକୋଞ୍ଚ ଗ୍ରାମପଞ୍ଚାୟତ ଅନ୍ତର୍ଗତ କୋଞ୍ଚ ଗୁମ୍ମା ଓ କାଳିଆ ଯୋଡି ଗ୍ରାମର ପ୍ରାୟ ୨୦ ଜଣ ଉକ୍ତ ବାରାହା ଶିକାର ଉଦେଶ୍ୟରେ ବାହାରିଥିଲେ । ଗାଁ ପଛପାଖରେ ଥିବା ପାହାଡ଼ର ଜଙ୍ଗଲ ରେ ଛାନଭିନ କରିଥିଲେ। ସେଠାରେ ବାରହା ନ ମିଳିବାରୁ ଅଳ୍ପଦୂରରେ ଥିବା ମାଙ୍କଡ଼ଝୋଲା ଗ୍ରାମ ଉପରେ ଥିବା ଜଙ୍ଗଲ ଭିତରେ ସମସ୍ତେ ପଶି ଯିଏ ଯାହାର ବାଟରେ ବାରାହାର ଅନୁସନ୍ଧାନ କରୁଥିଲେ । ଇତି ମଧ୍ୟରେ କୋଞ୍ଚ ଗୁମ୍ମା ଗ୍ରାମର ଧନସିଂ ଦିଶରୀଙ୍କର ବନ୍ଧୁକରୁ କୌଣସି ପ୍ରକାରେ ଗୁଳି ବାହାରି ସିଧା କାଳିଆ ଯୋଡି ଗ୍ରାମର ଖଗେଶ୍ୱର ଝଡ଼ିଆଙ୍କର ମୁଣ୍ଡର ପଛ ପଟେ ବାଜିଥିଲା । ବନ୍ଧୁକ ଗୁଳି ଫୁଟିବା ଶବ୍ଦ ପରେ ସମସ୍ତେ ବାରାହାକୁ ଗୁଳି ବାଜିଥିବା ଓ ତାର ପ୍ରତି ଆକ୍ରମଣ ଭୟ ସୃଷ୍ଟି ହେଉଥିଲା । ଏପଟେ ବାରାହା ବଦଳରେ ମଣିଷ ଟଳି ପଡିଯାଇଥିଲା । ଖବର ଜଣାପଡ଼ିବା ପରେ ଗୁରୁତର ଅବସ୍ଥାରେ ଖଗେଶ୍ୱରଙ୍କୁ ଗାଁ କୁ ଆଣୁଥିବା ବାଟରେ ଅତ୍ୟଧିକ ରକ୍ତସ୍ରାବ ହେଇ ତାଙ୍କର ମୃତ୍ୟୁ ହେଇଯାଇଥିଲା । ମୃତ୍ୟୁ ଖବରକୁ ଗୁପ୍ତରେ ରଖି ଉଭୟ ଗ୍ରାମବାସୀ ବୈଠକ କରିଥିଲେ । ମୃତ ଖଗେଶ୍ୱରଙ୍କର ୪ଟି ସନ୍ତାନ, ପୁଣି ବର୍ତ୍ତମାନ ତାଙ୍କ ସ୍ତ୍ରୀ ସୁବର୍ଣ୍ଣ ଝଡ଼ିଆ ଗର୍ଭବତୀ ରହିଥିବା ଦୃଷ୍ଟିରୁ ଆର୍ଥିକ ସହାୟତା ନିମନ୍ତେ ନିଷ୍ପତ୍ତି ସ୍ଥିର ହେଇଯାଇଥିଲା । ବୁଧବାର ସକାଳେ ଉଭୟ ଗ୍ରାମବାସୀଙ୍କର ଉପସ୍ଥିତିରେ ଶବ ସତ୍କାର ବନ୍ଦୋବସ୍ତ ସମ୍ପୂର୍ଣ୍ଣ ପରେ ଜୁଇ ରେ ଶବ ରଖି ଅଗ୍ନି ସଂଯୋଗ ହେଇଯାଇଥିଲା ।

ଉକ୍ତ ଘଟଣା ସଂପର୍କରେ ରାୟଗଡା ଏସଡିପିଓ ତପନ କୁମାର ରଥ ସୂଚନା ପାଇ ତୁରନ୍ତ ଅଣ୍ଡିରାକୋଞ୍ଚ ଥାନାକୁ ଶବ ଜବତ ପାଇଁ ନିର୍ଦେଶ ଦେଇଥିଲେ । ଏଥିରେ ଅଣ୍ଡରା କୋଞ୍ଚ ଥାନା ପକ୍ଷରୁ ଥାନା ଅଧିକାରୀ ମହାଳି ଓ ଏସ ଆଇ ସୁକାନ୍ତ କୁମାର ଦଳାଇ ଙ୍କର ନେତୃତ୍ୱରେ ଦୁଇଟି ଟିମ ଘଟଣା ସ୍ଥଳରେ ପହଞ୍ଚି ଅଧାପୋଡ଼ା ଶବ ଜବତ କରିଥିଲେ । ପରବର୍ତ୍ତୀ ସମୟରେ ଏ ସଂକ୍ରାନ୍ତରେ ଉଭୟ ଗ୍ରାମର ୧୩ ଜଣଙ୍କୁ ପଲିସ ଅଟକ ରଖି ପଚାରା ଉଚୁରା କରୁଥିବା ବେଳେ ଖଗେଶ୍ୱରଙ୍କର ଵାପା ଶୁକରୁ ଝଡ଼ିଆ ଉକ୍ତ ମାମାଲରେ ଏକ ଲିଖିତ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର