ଚୋରା ମଦ ବିକ୍ରିକୁ କେନ୍ଦ୍ର କରି ୨ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ: ଜଣଙ୍କର ମୃତ୍ୟୁ, ୮ ଆହତ

ଖଲ୍ଲିକୋଟ: ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ଥାନା ପଥରା ଗାଁରେ ଚୋରା ମଦ ବିକ୍ରିକୁ କେନ୍ଦ୍ର କରି ୨ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ହେବା ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ, ୮ଜଣ ଆହତ ହୋଇଥିବାର ଖବର ମିଳିଛି। ଏମାନଙ୍କ ଭିତରୁ ୨ଜଣଙ୍କା ଅବସ୍ଥା ସଂକଟାପନ୍ନ ଥିବା ଜଣାଯାଇଛି।
ପ୍ରାପ୍ତ ସୂଚନା ଅନୁଯାୟୀ, ଖଲ୍ଲିକୋଟ ଥାନା ପଥରା ଗାଁରେ ଗତକାଲି ରାତି ପ୍ରାୟ ସାଢେ ୧୦ଟା ବେଳକୁ ଚୋରା ମଦ ବିକ୍ରିକୁ କେନ୍ଦ୍ର କରି ୨ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ଦୁଇ ଗୋଷ୍ଠୀର ପ୍ରାୟ ୧୨/୧୫ ଜଣ ଯୁବକ ମାରଣାସ୍ତ୍ର ଧରି ହରିହର ଦେଓ ହାଇସ୍କୁଲ ନିକଟରେ ଥିବା ଭାଗବତ ଟୁଙ୍ଗୀ ନିକଟରେ ପରସ୍ପରକୁ ଆକ୍ରମଣ କରିଥିଲେ। ଏଥିରେ ଘଟଣାସ୍ଥଳରେ ପିଣ୍ଟୁ ଦାସ(୩୦) ନାମକ ଜଣେ ଯୁବକଙ୍କର ମୃତ୍ୟୁ ଘଟିଥିବା ବେଳେ, ୮ଜଣ ଆହତ ହୋଇଥିଲେ।
ଏହାପରେ ଆହତମାନଙ୍କୁ ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା।

ସେଠାରେ ୪ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବ୍ରହ୍ମପୁରର ଏମକେସିଜିକୁ ପଠାଯାଇଥିଲା। ଏହି ୪ଜଣଙ୍କ ଭିତରୁ ୨ଜଣଙ୍କ ଅବସ୍ଥା ସଂକଟାପନ୍ନ ଥିବା ଜଣାଯାଇଛି। ଏଦୁହେଁ ହେଲେ ରାକେଶ ଭାଙ୍ଗ(୩୮) ଓ ଧ୍ରୁବ ଟହଲ(୩୨)। ଖଲ୍ଲିକୋଟ ଥାନା ପୁଲିସ ଖବର ପାଇ ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି। ତେବେ ଏହି ରିପୋର୍ଟ ଲେଖା ହେବା ଯାଏଁ କାହାରିକୁ ଗିରଫ କରାଯାଇ ନଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର