ସ୍ବାମୀ-ସ୍ତ୍ରୀ ବିବାଦ ସମାଧାନ ପାଇଁ ଆସିଥିଲେ; ଟ୍ରାକ୍ଟର ଚଢ଼ାଇ ଦେଲେ ସ୍ବାମୀ; ଜଣେ ମୃତ, ୮ ଗୁରୁତର

ବିନିକା : ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ବାଙ୍କିଘିର୍ଡି ଆନ୍ଧ୍ରାଡେରାରେ ଏକ ଅଭାବନୀୟ ଘଟଣା ଘଟିଛି। ସ୍ତ୍ରୀ ସହ ବିବାଦର ସମାଧାନ ପାଇଁ ଆସିଥିବା ସ୍ବାମୀ ଟ୍ରାକ୍ଟର ଚଢ଼ାଇ ଦେବାରୁ ଜଣକ ମୃତ୍ୟୁ ଘଟିଥିବା ବ‌େଳେ ୮ ଜଣ ଗୁରୁତର ଅଛନ୍ତି। ସେମାନଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ ବାଙ୍କିଘିର୍ଡି ଆନ୍ଧ୍ରାଡେରାର ଆଲ୍ଲା ସତ୍ୟନାରାୟଣଙ୍କ ପ୍ରଥମ ସ୍ତ୍ରୀର ମୃତ୍ୟୁ ପରେ ସେ ଆନ୍ଧ୍ର ପ୍ରଦେଶର ପୂର୍ବ ଗୋଦାବରୀ ଜିଲ୍ଲା ରାହୁଲପାଲମ ଥାନା ଜନାଡା ଗାଁର ଆଲ୍ଲା ପାର୍ବତୀଙ୍କୁ ଦ୍ବିତୀୟ ବିବାହ କରିଥିଲେ। ସେମାନଙ୍କ ଦ୍ବିତୀୟ ସନ୍ତାନ ଗର୍ଭରେ ଥିବା ବେଳେ ସତ୍ୟନାରାୟଣ ପାର୍ବତୀଙ୍କୁ ତାଙ୍କ ବାପ ଘରେ ଛାଡ଼ି ଦେଇଥିଲେ। କିନ୍ତୁ ଆଉ ଆଣି ନଥିଲେ। ବର୍ଷେରୁ ଅଧିକ ସମୟ ବିତିଯିବାରୁ ପାର୍ବତୀଙ୍କ ବାପଘର ଲୋକେ ସମାଧାନ ପାଇଁ ଆନ୍ଧ୍ରାଡେରାକୁ ଆସିଥିଲେ। ପାର୍ବତୀ, ତାଙ୍କ ୨ ସନ୍ତାନ ଓ ପରିବାର ଲୋକ ମୋଟ୍‌ ୯ ଜଣ ୧୪ ତାରିଖରେ ଏଠାକୁ ଆସିଥିଲେ। ବରଗଡ଼ ଜିଲ୍ଲା ଅତାବିରା ଥାନା ପରମାଣପୁର ଫାର୍ମପଡ଼ାରେ ରହୁଥିବା ତାଙ୍କ ଦୂରସମ୍ପର୍କୀୟ ଡି. କାଶୀନାଥ ଓ ତାଙ୍କ କକା ଡି. ରାମବାବୁଙ୍କୁ ବି ଡାକିଥିଲେ। ସମସ୍ତେ ଆନ୍ଧ୍ରାଡେରାରେ ରାତି ପ୍ରାୟ ୯ଟାରେ ପହଞ୍ଚି ଥିଲେ।

ଉଭୟ ପକ୍ଷ ଆପୋସ କଥାବାର୍ତ୍ତା ବେଳେ ସତ୍ୟନାରାୟଣ ଓ ପାର୍ବତୀଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ସତ୍ୟନାରାୟଣ ମାରିବାକୁ ଧମକ ଦେଇ କେଜହ୍ବିଲ୍‌ ଲାଗିଥିବା ଟ୍ରାକ୍ଟର (ଓଡି ୧୭ ଜେ ୦୯୬୭) ସେମାନଙ୍କ ଉପରକୁ ଚଢ଼ାଇ ‌ଦେଇଥିଲା। ଫଳରେ ୯ଜଣ ଗୁରୁତର ଆହତ ହୋଇଥିଲେ। ସମସ୍ତଙ୍କୁ ଉଦ୍ଧାର କରି ବୁର୍ଲା ବଡ଼ ଡାକ୍ତରଖାନାକୁ ଅଣାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ କାଶୀବିଶ୍ବନାଥ (୪୦)ଙ୍କ ମୃତ୍ୟୁ ହୋଇଥିଲା। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ଅନ୍ୟ ପକ୍ଷରେ ଟି. ଲକ୍ଷ୍ମୀଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ଶୁକ୍ରବାର ପରମାଣପୁରର ଡି. ରାମବାବୁଙ୍କ ଅଭିଯୋଗ ଆଧାରରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ଥାନା ଅଧିକାରୀ ପବିତ୍ର ସାହୁ ପ୍ରକାଶ କରିଛନ୍ତି। ସେହିପରି ପରମାଣପୁରରୁ ପ୍ରାୟ ୬୦ ଜଣ ଲୋକ ବାଙ୍କିଘିର୍ଡିରେ ପହଞ୍ଚିଛନ୍ତି। ଗାଁରେ ଉତ୍ତେଜନା ଲାଗି ରହିଛି। ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ ପାଇଁ ସେମାନେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର