ଜୀବନ ନେଲା ବିଷାକ୍ତ ଖାଦ୍ୟ : ୯ ଗୁରୁତର କଟକ ‌ବଡ଼ମେଡ଼ିକାଲରେ ଭର୍ତ୍ତି

ପାଟଣା : ଦିନକ ପରେ ହୋଇଥା’ନ୍ତା ବାହାଘର। ଏଥିପାଇଁ ଚାଲିଥିଲା ପ୍ରସ୍ତୁତି। ଟେଣ୍ଟ ବନ୍ଧାଠାରୁ ଆରମ୍ଭ କରି ଅନ୍ୟ କାର୍ଯ୍ୟରେ ଲାଗିଥିଲେ ସାହିଭାଇ। ଘରେ ରନ୍ଧା ହୋଇଥିବା ଖାଦ୍ୟକୁ ଖାଇ ସାହିର ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। କନ୍ୟାର ମା’, ଝିଅ ସମେତ ୯ ଜଣ ଗୁରୁତର ଅବସ୍ଥ‌ାରେ କଟକ ବଡ଼ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି। କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଖିରେଇଟାଙ୍ଗିରି ପଞ୍ଚୟତ ନୂଆଗାଁରେ ଏଭଳି ଅଘଟଣ ଘଟିଛି।

ଖବର ଅନୁସାରେ ଗ୍ରାମର ସ୍ବର୍ଗତ ପୁରନ୍ଦର ନାୟକଙ୍କ ଝିଅ ଗୋଲାପ ନାୟକଙ୍କର ଆସନ୍ତାକାଲି ବିବାହ ହେବାର ଥିଲା। ଗତକାଲି ଏଥିପାଇଁ ଟେଣ୍ଟ କାମ ଚାଲିଥିଲା। ଟେଣ୍ଟ ବନ୍ଧା କାର୍ଯ୍ୟରେ ନିୟୋଜିତ ଯୁବକଙ୍କୁ ଖାଇବାକୁ ଦିଆଯାଇଥିଲା। ଏହାକୁ ଘର ଲୋକେ ଓ ସାହିର କେତେଜଣ ବି ଖାଇଥିଲେ। ତେବେ ଖାଦ୍ୟ ଖାଇବାର କିଛି ସମୟ ପରେ ସମସ୍ତଙ୍କ ଅବସ୍ଥା ଗୁରୁତର ହୋଇଥିଲା। ସଙ୍ଗେସଙ୍ଗେ ସେମାନଙ୍କୁ କେନ୍ଦୁଝର ଡାକ୍ତରଖାନାରେ ଭର୍ତି କରାଯାଇଥିଲା। ସଂକଟାପନ୍ନ ହେବାରୁ କଟକ ନିଆଯିବା ବାଟରେ ଜଣଙ୍କର ମୃତ ହୋଇଥିବା ପୁଲିସ ସୂତ୍ରରୁ ଜଣାପଡ଼ିଛି। ମୃତ ଯୁବକ ହେଲେ ସାହିର ମାନସ ନାୟକ (୨୨)। କନ୍ୟାର ଝିଅର ମା’ ହେମଲତା ନାୟକ ଓ ଭାଉଜ ଲୁସି ନାୟକଙ୍କ ସମେତ ୯ ଜଣ ଗୁରୁତର ଅସୁସ୍ଥ ହୋଇପଡ଼ିଛନ୍ତି। ସେମାନେ ଏବେ କଟକ ବଡ଼ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର