ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବର ଉପକଣ୍ଠ ପାତ୍ରପଡ଼ା ରବିବାର ରାତିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଜଣେ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୪ ଜଣ ଗୁରୁତର ଅଛନ୍ତି। ଗୁୁରତରମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ରିପୋର୍ଟ ଲେଖାଯିବା ବେଳକୁ ମୃତ ଓ ଗୁରୁତରମାନଙ୍କର ପରିଚୟ ମିଳିପାରି ନାହିଁ।
ସୂଚନା ଅନୁସାରେ ଆଜି ରାତି ପ୍ରାୟ ୧୦ଟାରେ ଏକ କାର ଖୋର୍ଦ୍ଧା ପାର୍ଶ୍ବରୁ ଭୁବନେଶ୍ବର ଅଭିମୁଖେ ଆସୁଥିଲା। ଏହି କାର୍ ସହିତ ଟ୍ରକ୍ର ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ୫ ଜଣ ଲୋକ ଆହତ ହୋଇଥିଲେ।
ଦୁର୍ଘଟଣା ନେଇ ପୁଲିସ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚି ଥିଲା। ସମସ୍ତ ୫ ଜଣଙ୍କୁ ଭୁବନେଶ୍ବର ଏମ୍ସରେ ଭର୍ତ୍ତି କରିଥିଲା। ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଅନ୍ୟମାନଙ୍କର ଚିକିତ୍ସା ଜାରି ରହିଛି। ପୁଲିସ ଦୁର୍ଘଟଣାଗ୍ରସ୍ତ ଗାଡ଼ି ଜବତ କରିଛି। ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଇଛି।