ଯୁଯୁମୁରା: ସମ୍ବଲପୁର ଜିଲ୍ଲା ଯୁଯୁମୁରା ଥାନା ଅଧୀନ ୫୫ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣା ଘଟିଛି। ଯୁଯୁମୁରା ପେଟ୍ରୋଲ ପମ୍ପ ନିକଟରେ ଗୁରୁବାର ସନ୍ଧ୍ୟାରେ ଦୁଇ ଜଣ ବାଇକ୍ ଆରୋହୀଙ୍କ ଉପରେ ଟ୍ରକ୍ ଚଢ଼ିଯାଇଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତକ ଜଣକ ହେଉଛନ୍ତି ସୁନ୍ଦରଗଡ଼ ଜିଲ୍ଲା କିଞ୍ଜିରକେଲା ଥାନା ଅନ୍ତର୍ଗତ ତିଲେଇକାନିର ବିମଳ କୁଜୁର (୨୭)। ଗୁରୁତର ବ୍ୟକ୍ତି ହେଲେ ରାଜେଶ ଟପ୍ପୋ (୨୭)।
ସୂଚନା ଅନୁସାରେ ସମ୍ବଲପୁର ଜିଲ୍ଲା ଧନୁପାଲି ଥାନା ଅନ୍ତର୍ଗତ ଗୋବିନ୍ଦତୋଲା ନିବାସୀ ଥାଉଡିସ୍ ଟପୋଙ୍କ ପୁଅ ରାଜେଶ ଟପ୍ପୋ ନିଜର ଜଣେ ସାଙ୍ଗ ବିମଳ କୁଜୁରଙ୍କ ସହିତ ଆଜି ଅପରାହ୍ଣରେ ଲିପିଣ୍ଡା ପଂଚାୟତର ଭୋଇପାଲିରେ ଏକ ବାହାଘର କାର୍ଯ୍ୟକ୍ରମରେ ଯୋଗଦେଇ ଘରକୁ ଫେରୁଥିଲେ। ସନ୍ଧ୍ୟା ପ୍ରାୟ ୫ଟା ବେଳେ ଟ୍ରକ(ଓଡ଼ି ୦୫ ଏମ୍ ୩୬୬୬) ସେମାନଙ୍କୁ ଧକ୍କା ଦେଇଥିଲା। ଟ୍ରକ୍ ଧକ୍କାରେ ବିମଳଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। କିନ୍ତୁ ରାଜେଶ ଗୁରୁତର ଥିବାରୁ ତାଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ପୁଲିସ ଉଦ୍ଧାର କରି ପଥମେ ଯୁଯୁମୁରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଉପଚାର କରାଇଥିଲା। କିନ୍ତୁ ଅବସ୍ଥା ଶୋଚନୀୟ ଥିବାରୁ ପରେ ଡାକ୍ତର ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରିଥିଲେ। ଶୁକ୍ରବାର ବୁର୍ଲା ଡ଼ାକ୍ତରଖାନାରେ ଶବ ବ୍ୟବଚ୍ଛେଦ ପରେ ପୁଲିସ୍ ମୃତ ଦେହ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/01/9bc806e8-778f-46ff-b365-de399a7e424c.jpg)