ଚଳନ୍ତା ଅଟୋ ଉପରେ ପଡିଗଲା ଗଛ : ୱାର୍ଡସଭ୍ୟା ମୃତ, ଜଣେ ଗୁରୁତର

ଦାରିଙ୍ଗବାଡ଼ି : ଦାରିଙ୍ଗବାଡ଼ି ବ୍ଳକ୍‌ କିଲାବାଡ଼ି ଛକ ନିକଟରେ ଚଳନ୍ତା ଅଟୋ ଉପରେ ହଠାତ ରାସ୍ତାକଡ଼ରେ ଥିବା ଏକ ଶୁଖିଲା ପାଇନଗଛ ପଡ଼ିଯିବା ଫଳରେ ଏଥିରେ ବସିଥିବା ପ୍ଲିହେରି ଗ୍ରାମର ୱାର୍ଡମେମ୍ବର ସାବନ୍ତି ପ୍ରଧାନ ପ୍ରାଣ ହରାଇଛନ୍ତି। ଅନ୍ୟ ଜଣେ ଯାତ୍ରୀ ପ୍ରଦୀପ ପ୍ରଧାନ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ବାଲିଗୁଡ଼ା ଉପଖଣ୍ଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ତେବେ ସୌଭାଗ୍ୟବଶତଃ ଅଟୋରେ ବସିଥିବା ଆଉ ଦୁଇ ମହିଳା ଦୁର୍ଘଟଣାରୁ ବର୍ତ୍ତିଯାଇଥିବା ଜଣାପଡିଛି। ସୂଚନା ମୁତାବକ ଗାନ୍ଧାସା ପ୍ରଧାନଙ୍କ ପତ୍ନୀ ସାବନ୍ତି ପ୍ରଧାନ(୪୩)ଙ୍କ ସମେତ ଆହତ ପ୍ରଦୀପ ପ୍ରଧନ(୩୬) ଅପରାହ୍ନରେ ଦାରିଙ୍ଗବାଡ଼ି ଲ୍ୟାମ୍ପ୍‌ସରୁ ବିପିଏଲ ଚାଉଳ ପାଇଁ ଏକ ଅଟୋରେ ବସି ଯାଉଥିଲେ। ଏହି ସମୟରେ ରାସ୍ତାକଡ଼ରେ ଥିବା ଶୁଖିଲା ଗଛଟି ଅଟୋ ଉପରେ ପଡ଼ିଯିବାରୁ ଘଟଣାସ୍ଥଳରେ ହିଁ ୱାର୍ଡସଭ୍ୟା ସାବନ୍ତିଙ୍କ ମୃତ୍ୟୁ ହୋଇଥିଲା। ଖବର ପାଇ ଦାରିଙ୍ଗବାଡ଼ି ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ଏନେଇ ତଦନ୍ତ କରୁଥିବା ଥାନା ଅଧିକାରୀ କୌଶିକ ମାଝୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର