ସୁନ୍ଦରଗଡ଼: ରେମଣ୍ଡା ଛକରେ ଅଜଣା ଗାଡ଼ି ଧକ୍କାରେ କଲେଜ କର୍ମଚାରୀଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକ ହେଲେ ଯୋଗେଶ୍ବର ନାଏକ (୩୨)। ଏହି ଦୁର୍ଘଟଣାରେ ଯୋଗେଶ୍ବରଙ୍କ ସହିତ ଥିବା ଅନ୍ୟ ଜଣେ ଯୁବକ ଉତ୍କଳ‌ ସେଠ ଆହତ ହୋଇଛନ୍ତି।

Advertisment

ସୂଚନା ଅନୁସାରେ ସରଧାପାଲିସ୍ଥିତ ଯଶୋଦା ବିଷ୍ଣୁ ଡ଼ିଗ୍ରୀ କଲେଜରେ କାର୍ଯ୍ୟରତ ତଥା ଟାଙ୍ଗରପାଲି ବ୍ଲକ ଅନ୍ତର୍ଗତ ମଙ୍ଗସପୁର ଗ୍ରାମର ଲଳିତ ନାଏକଙ୍କ ପୁଅ ଯୋଗେଶ୍ବର ଓ ଉତ୍କଳ ମଙ୍ଗଳବାର ଦିନ ଭୁବନେଶ୍ବରରୁ ଝାରସୁଗୁଡ଼ାକୁ ଟ୍ରେନ୍‌ରେ ଫେରିଥିଲେ। ପରେ ସେମାନେ ଝାରସୁଗୁଡ଼ା ଠାରୁ ବାଇକ୍‌ରେ ଘରକୁ ଫେରୁଥିବା ସମୟରେ ରାତ୍ରି ୧ଟାରେ ଅଜଣା ଗାଡ଼ି ଧକ୍କା ଦେଇଥିଲା। ଏଥିରେ ଯୋଗେଶ୍ବରଙ୍କ ମୃତ୍ୟୁ ହୋଇଥିଲା। ଉତ୍କଳଙ୍କୁ ଗୁରୁତର ଅବସ୍ଥାରେ ସୁନ୍ଦରଗଡ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରଯାଇଥିଲା।

ଏହି ଦୁର୍ଘଟଣାକୁ ନେଇ ଉତ୍ତ୍ୟକ୍ତ ଜନସାଧାରଣ, କଲେଜ ଛାତ୍ରଛାତ୍ରୀ, ଅଧ୍ୟାପକ-ଅଧ୍ୟାପିକା, ଜନପ୍ରତିନିଧି ମୁଖ୍ୟରାସ୍ତାକୁ ଅବରୋଧ କରିଛନ୍ତି। ଅବରୋଧ ସ୍ଥଳକୁ ଟାଙ୍ଗରପାଲି ତହସିଲଦାର ରାଜୀବ ହାଁସଦା ମାଜିଷ୍ଟ୍ରେଟ ଦାୟିତ୍ୱରେ ଉପସ୍ଥିତ ରହିବା ସହିତ ଭସ୍ମି ପୁଲିସ ଟିମ ମଧ୍ୟ ଉପସ୍ଥିତ ରହି ଅବରୋଧକାରୀଙ୍କୁ ବୁଝାସୁଝା କରୁଛନ୍ତି। ମୃତକଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ସହାୟତା ରାଶି ସହିତ ପରିବାରର ଜଣଙ୍କୁ ନିଯୁକ୍ତି ଦେବା ପାଇଁ ଦାବି ରଖିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ରାସ୍ତା ଅବରୋଧ ଚାଲିଛି।