ବୈପାରିଗୁଡ଼ା: କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ସଦରମହକୁମା ହାଇସ୍କୁଲ ରାସ୍ତାରେ ଏକ ସ୍କୁଟି ଦୁର୍ଘଟଣାଗ୍ରସ୍ତ ହେବାରୁ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଅନ୍ୟ ଜଣେ ଗୁରୁତର ଭାବେ ଆହତ ହୋଇଥିବା ବେଳେ ବୈପାରିଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ମୃତକ ହେଲେ ଉଦ୍ଧବ ମାଝୀ (୨୫) ଓ ଆହତ ହେଲେ କୃଷ୍ଣ ପରଜା (୨୪)।
ସୂଚନା ଅନୁଯାୟୀ, ବାସନିଗୁଡାର କୃଷ୍ଣ ପରଜା ବୈପାରିଗୁଡ଼ାସ୍ଥିତ ଏକ ହାଡଓ୍ବେର ଦୋକାନରେ କାମ କରନ୍ତି। ଆଜି ମଧ୍ୟାହ୍ନ ୧ଟା ବେଳେ ବୈପାରିଗୁଡା ନିକଟସ୍ଥ ନିଜ ଗ୍ରାମ ବାସନିଗୁଡାକୁ ଭୋଜନ କରିବାକୁ ସ୍କୁଟି ଯୋଗେ ବାହାରିଥିଲେ। ରାସ୍ତାରେ ସେହି ଗ୍ରାମର ଉଦ୍ଧବ ମାଝୀ ନାମକ ଯୁବକ କୃଷ୍ଣଙ୍କୁ ଅଟକେଇ ଲିଫ୍ଟ ମାଗିଥିଲେ। ଦୁହେଁ ବାସନିଗୁଡା ଯିବା ସମୟରେ କୁନ୍ଦୁରା ରାସ୍ତାର ରାବଣ ପଡ଼ି ଛକ ଠାରେ ନିୟନ୍ତ୍ରଣ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ। ଫଳରେ ପଛପଟେ ବସିଥିବା ଉଦ୍ଧବଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିଲା। ସ୍ଥାନୀୟ ଲୋକେ ଦୁହିଁଙ୍କୁ ବୈପାରିଗୁଡା ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। କିନ୍ତୁ ସେଠାରେ ଉଦ୍ଧବଙ୍କ ମୃତ୍ୟୁ ହୋଇଯାଇଥିବା ଡାକ୍ତର ପ୍ରକାଶ କରିଥିଲେ। ଗୁରୁତର ଆହତ କୃଷ୍ଣ ବୈପାରିଗୁଡା ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି। ଦୁର୍ଘଟଣାର ଖବର ପାଇ ବୈପାରିଗୁଡା ଥାନା ଆଇଆଇସି ସୁଶାନ୍ତ କୁମାର ଶତପଥୀ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି। ଶବ ବ୍ୟବଚ୍ଛେଦ କରାଯିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୁଲିସ ସୂଚନା ଦେଇଛି।