ମୋପେଡକୁ ଧକ୍କା ଦେଲା ବସ୍; ଜଣେ ମୃତ, ଅନ୍ୟ ଜଣେ ଗୁରୁତର 

ବୈପାରିଗୁଡା: ମୋପେଡକୁ ବସ୍ ଧକ୍କା ଦେବା ଫଳରେ ଆରୋହୀଙ୍କ ମଧ୍ୟରୁ ଜଣକର ମୃତ୍ୟୁ ହୋଇଯାଇଛି। ଏଥିରେ ଥିବା ଅନ୍ୟ ଜଣେ ଆରୋହୀ ଆହତ ହୋଇଛନ୍ତି। ଘଟଣା ଅନୁଯାୟୀ, କୋରାପୁଟ ଜିଲ୍ଲା ବୈପାରିଗୁଡା ନିକଟବର୍ତ୍ତୀ ମାଲାଗୁଡାର ଭଗବାନ ଖରା (୬୫) ଏବଂ ତାଙ୍କ ପୁତୁରା ଭଗବାନ ହନ୍ତାଳ (୨୫) ନିଜ ମୋପେଡ (ଓଡି ୧୦ ଏସ୍ ୦୬୩୪) ଯୋଗେ ବୈପାରିଗୁଡାସ୍ଥିତ ପେଟ୍ରୋଲ ପମ୍ପରେ ତେଲ ପକାଇ ଜୟପୁର ଯିବା ପାଇଁ ୩୨୬ ନମ୍ବର ଜାତୀୟ ରାଜପଥର ଉପରକୁ ଉଠି ଆସିବା ମାତ୍ରେ ବିପରୀତ ଦିଗରୁ ମାଲକାନଗିରିକୁ ଯାଉଥିବା ସାଇରାମ ନାମକ ଯାତ୍ରୀବାହୀ ବସ୍ (ଓଡି ଏଏସ୍ ୭୦୯୯) ଧକ୍କା ଦେଇଥିଲା। ଫଳରେ ଉଭୟେ ଭଗବାନ ଖରା ଏବଂ ଭଗବାନ ହନ୍ତାଳ ଗାଡ଼ିରୁ ଛିଟିକି ପଡ଼ିଥିଲେ। ଘଟଣାସ୍ଥଳରେ ଉଭୟେ ଗୁରୁତର ଭାବେ ଆହତ ହୋଇଥିଲେ। ଉଭୟଙ୍କୁ ବୈପାରିଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଭଗବାନ ଖରାଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ପ୍ରାଥମିକ ଚିକିତ୍ସା ପରେ ଜୟପୁର ଜିଲ୍ଲା ହସପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ତେବେ ଜୟପୁର ପହଞ୍ଚିବା ପରେ ତାଙ୍କର ମୃତ୍ୟୁ ହୋଇଯାଇଥିବା ଡାକ୍ତର ଘୋଷଣା କରିଥିଲେ। ପୁଲିସ ଏଏସ୍ଆଇ ବିଷ୍ଣୁ ଶବର ଘଟଣାସ୍ଥଳରେ ପହଞ୍ଚି ଗାଡ଼ି ଦୁଇଟିକୁ ଜବତ କରିବା ସହ ତଦନ୍ତ ଜାରି ରଖିଛନ୍ତି।

ସମ୍ବନ୍ଧିତ ଖବର