ଜଗତସିଂହପୁର/ରାହାମା: ଦଶାହଘାଟରେ ପୁଣି ଅଘଟଣ ଘଟିଛି। ମହାନଦୀଘାଟରେ ଦଶାହ କର୍ମ ସମୟରେ ବଡ଼ବାପା ଓ ପୁତୁରା ବୁଡ଼ି ଯାଇଛନ୍ତି। ଏହି ଘଟଣାରେ ପୁତୁରାର ମୃତ୍ୟୁ ଘଟିଥିବା ବେଳେ ବଡ଼ବାପା ନିଖୋଜ ଅଛନ୍ତି। ମୃତ ବ୍ୟକ୍ତି ହେଲେ ଅକ୍ଷୟ କୁମାର ଜେନାଙ୍କ ପୁଅ (୨୨) ଓ ନିଖୋଜ ବ୍ୟକ୍ତି ହେଲେ ସମ୍ପଦ ଜେନା। 

Advertisment

ସୂଚନା ଅନୁସାରେ ଜଗତସିଂହପୁର ଜିଲ୍ଲା ତାର୍ତ୍ତୋଲ ଥାନା ଅଧୀନ କୋଲର ଅଞ୍ଚଳର ସମ୍ପଦ ଜେନା ଓ କାହ୍ନା ଜେନାଙ୍କ ସଂପର୍କୀୟଙ୍କ ମୃତ୍ୟୁ ଯୋଗୁଁ ଆଜି ମହାନଦୀର ଏକ ଘାଟରେ ଦଶାହ କର୍ମ ଥିଲା। ଏହି ଅବସରରେ ସେମାନେ ଗାଧୋଇବା ସମୟରେ ପ୍ରଖର ଜଳସ୍ରୋତ ଉଭୟଙ୍କୁ ଭସାଇ ନେଇଥିଲା। ଦୁଇ ଜଣ ବ୍ୟକ୍ତି ନିଖୋଜ ହେବା ନେଇ ଅନ୍ୟମାନେ ପୁଲିସ ଓ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ। 

ଘଟଣାସ୍ଥଳରେ ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି କାହ୍ନାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ତେବେ ରିପୋର୍ଟ ଲେଖାଯିବା ବେଳକୁ ସମ୍ପଦ ଜେନା ନିଖୋଜ ଅଛନ୍ତି। ଅଗ୍ନିଶମ ବାହିନୀ ଖୋଜାଖୋଜି ଜାରି ରଖିଛନ୍ତି।  

ଦଶାହ ତୁଠରେ ଆଜି ଭଳି ଅପ୍ରୀତିକର ଘଟଣା ଘଟିବା ନୂଆ କଥା ନୁହେଁ। ଏହା ପୂର୍ବରୁ ମଧ୍ୟ ଏହି ଭଳି ଘଟଣା ଘଟିଛି। ଜଗତସିଂହପୁରଜିଲ୍ଲା କୁଜଙ୍ଗ ଥାନା ଅଧୀନ ଚାନ୍ଦପୁର ଗାଁରେ ଗତମାସ ୯ ତାରିଖରେ ପଙ୍କପାଳ ଗାଁର ଦୀପ୍ତି ରଂଜନ ପରିଡ଼ାଙ୍କର ଭଉଣୀଙ୍କର ଶାଶୂଙ୍କ ଦଶାହ କର୍ମ ଚାଲିଥିଲା। ଘରେ ଭୋଜିଭାତ ଚାଲିଥିବା ବେଳେ ଦୀପ୍ତି ରଂଜନଙ୍କ ଭିଣୋଇଙ୍କ ସହିତ ପରିବାର ଲୋକେ ଗ୍ରାମ ନିକଟ ତାଳଦଣ୍ଡା କେନାଲ ପାର୍ଶକୁ ମୁଣ୍ଡନ ଓ ଅନ୍ୟ କାର୍ଯ୍ୟ ପାଇଁ ଯାଇଥିଲେl ଦଶାହ କାର୍ଯ୍ୟ ଅବସରରେ ସେଠାରେ ବ୍ରାହ୍ମଣ, ବାରିକ ଓ ବନ୍ଧୁବାନ୍ଧବଙ୍କ ସମାଗମ ହୋଇଥିଲା। କେନାଲରେ ଦୀପ୍ତି ରଂଜନଙ୍କ ସହିତ ଅନ୍ୟମାନେ ଗାଧୋଉଥିଲେ। ତେବେ କେନାଲର ଏହି ସ୍ଥାନରେ ଦୀପ୍ତିଙ୍କର ଗାଧୋଇବାର ଅଭ୍ୟାସ ନଥିବାରୁ ଜଳର ସ୍ରୋତ ଏବଂ ଗଭୀରତା ବିଷୟରେ ଜାଣି ନଥିଲେ। ତେଣେୁ ସେ ଭାସି ଯାଇଥିଲେ। ପରେ ତାଙ୍କର ମୃତଦେହ ଉଦ୍ଧାର ହୋଇଥିଲା।

Jagatsinghpur