କୋଇଡ଼ା: ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ବ୍ଲକ୍ କେବଲାଙ୍ଗ ଥାନା ଚୁନାଘାଟି ବ୍ରିଜ୍ ଉପରେ ଟ୍ରେଲର ଓ ଟ୍ରକ୍ ମଧ୍ୟରେ ମର୍ମନ୍ତୁଦ ଦୁର୍ଘଟଣାରେ ଜଣକର ମୃତ୍ୟୁ ହୋଇଥିବାବେଳେ ଦୁଇଜଣ ଗୁରୁତର ହୋଇଛନ୍ତି। ମୃତକ ହେଉଛନ୍ତି ଟ୍ରେଲର ଚାଳକଦେବଗଡ଼ ଜିଲ୍ଲା ରିଆାମାଳ ଅଞ୍ଚଳର ମୁନସିଆଦ ମୁଣ୍ଡା(୨୭)। ଅନ୍ୟ ଟ୍ରକ୍ର ଚାଳକ ଓ ହେଲ୍ପର ଗୁରୁତର ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ସୁଚନା ଅନୁଯାୟୀ, ଗୁରୁବାର ବିଳମ୍ବିତ ରାତ୍ରିରେ ଚୁନାଘାଟି ବ୍ରିଜ୍ ଉପରେ ପୂର୍ବରୁ ଠିଆ ହୋଇ ରହିଥିବା ଏକ ଟ୍ରେଲର ଆର୍ଜେ ୦୨ ଜିବି ୬୦୭୦ ପଛକୁ ଧକ୍କା ଦେଇଥିଲା ଏକ ମାଲବାହୀ ଟ୍ରକ୍ ଓଡି ୧୫ ଟି ୧୫୯୯। ଫଳରେ ଘଟଣାସ୍ଥଳରେ ଟ୍ରେଲର ଚାଳକ ମୁନସିଆଦଙ୍କ ମୃତ୍ୟୁ ହୋଇଯାଇଥିବାବେଳେ ମାଲବାହୀ ଟ୍ରକ୍ର ଚାଳକ ଓ ହେଲ୍ପର ଗୁରୁତର ହୋଇଛନ୍ତି। ଆହତଙ୍କୁ ପ୍ରଥମେ ଲହୁଣିପଡ଼ା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ଏବଂ ପରେ ରାଉରକେଲା ସରକାରୀ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣା ଏତେ ଭୟାବହ ହୋଇଥିଲା ଯେ ଶବକୁ କୋଇଡ଼ା ଅଗ୍ନିଶମ ବାହିନୀ ଦ୍ବାରା ଗାଡ଼ି କାଟି ବାହାର କରାଯାଇଥିଲା। କେବଲାଙ୍ଗ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ଶବ ଜବତକରି ବ୍ୟବଛେଦ ପାଇଁ ଲହୁଣିପଡ଼ା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲା।