ବେତନଟୀସଦର: ମୟୂରଭଂଜ ଜିଲ୍ଲା ବେତନଟୀ ଥାନା ଅଧୀନ ୧୮ନଂ ଜାତୀୟ ରାଜପଥର ଦାନ୍ତିଆମୁହାଁ ଛକରେ ସୋମବାର ଅପରାହ୍ନରେ ଘଟିଯାଇଥିବା ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ବାଇକ ଆରୋହୀଙ୍କର ଶୋଚନୀୟ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇଜଣଙ୍କ ଅବସ୍ଥା ଅତ୍ୟନ୍ତ ଶଙ୍କଟାପନ୍ନ ରହିଛି। ମୃତକଙ୍କ ପରିଚୟ ମିଳିପାରିନାହିଁ।

Advertisment

ସୂଚନା ମୁତାବକ ଅନ୍ନପୂର୍ଣ୍ଣା ପଣ୍ଡା ନାମରେ ପଞ୍ଜୀକୃତ କାର୍‌ (ଓଡି -୧୧ଏଇ-୫୭୫୭) ଅତ୍ୟନ୍ତ ବେପରୁଆ ଭାବରେ ବେତନଟୀ ଅଭିମୁଖେ ଆସୁଥିବା ବେଳେ ଲକ୍ଷ୍ମୀଧର ରାୟ ନାମରେ ପଞ୍ଜିକୃତ ବାଇକ୍‌ (ଓଡି-୦୧ଏୟୂ -୬୪୬୫)କୁ ପଛପଟୁ ଧକ୍କା ଦେଇଥିଲା। ଦୁର୍ଘଟଣା ଏତେ ଶକ୍ତିଶାଳୀ ଥିଲା ଯେ ବାଇକ୍‌ ପାଖାପାଖି ଶହେ ମିଟର ଦୁରକୁ ଛିଟିକି ପଡ଼ିଥିଲା। ଏଥିରେ ଜଣକର ଶୋଚନୀୟ ମୃତ୍ୟୁ ଘଟିଥିବା ବେଳେ ବାଇକରେ ଥିବା ଅନ୍ୟ ଦୁଇଜଣଙ୍କ ମଧ୍ୟରେ ରାସଗୋବିନ୍ଦପୁର ଥାନା ଅଧୀନ ମାଣିକପୁର ଗ୍ରାମର ସୁରେନ୍ଦ୍ର ରାୟର ପୁଅ ବାସୁଦେବ(୩୦) ଏବଂ ସାତସଗଡ଼ିଆ ଗ୍ରାମର ସୁଦର୍ଶନ ରାୟଙ୍କ ପୁଅ ଲକ୍ଷ୍ମୀଧର ରାୟ ଗୁରୁତର ଆହତ ହୋଇଥିଲେ।

ଆମ୍ବୁଲାନ୍ସ ଯୋଗେ ଗୁରୁତର ଦୁଇ ବାଇକ ଆରୋହୀଙ୍କ ସମେତ କାରରେ ବସିଥିବା ବାରିପଦା ଭଞ୍ଜପୁର ଅଞ୍ଚଳରେ ସନ୍ତୋଷ ବେହେରାର ପୁଅ ଲିଙ୍ଗରାଜ ଏବଂ ନୀଳହରୀ ଉପାଧ୍ୟାୟର ପୁଅ ଅରିଜିତ ଆହତ ହୋଇଥିଲେ। ଉଭୟ ଗୁରୁତର ଓ ଆହତଙ୍କୁ ବାରିପଦା ଜିଲ୍ଲାମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ବାଇକ ଆରୋହୀ ଲକ୍ଷ୍ମୀଧର ଓ ବାସୁଦେବଙ୍କ ଅବସ୍ଥା ଅତ୍ୟନ୍ତ ଶଙ୍କଟାପନ୍ନ ରହିଛି। ଏପଟେ ଗାଡି ମାଲିକାଣୀ ଅନ୍ନପୂର୍ଣ୍ଣା ପଣ୍ଡାଙ୍କ ପୁଅ ବାରିପଦା ମୁର୍ଗାବାଡି ଅଞ୍ଚଳର ଅଜୟ ଦାଶର ପୁଅ ଅଭିଜିତ ଦାଶକୁ ଅଟକ ରଖି ପୁଲିସ ତଦନ୍ତ ଆରମ୍ଭ କରିଛି।

ତେବେ ଗାଡ଼ିରେ ବାସିଥିବ ପାଞ୍ଚଜଣଙ୍କ ମଧ୍ୟରୁ ଦୁଇଜଣ ଘଟଣାସ୍ଥଳରୁ ଦୌଡ଼ି ପଳାଇ ଯାଇଥିବା ବେଳେ ସମସ୍ତେ ପ୍ରଚୁର ମଦ୍ୟପାନ କରିଥିବା କିଛି ପ୍ରତ୍ୟକ୍ଷଦର୍ଶୀ ସୂଚନା ଦେଇଛନ୍ତି। ଏପଟେ ମୃତଦେହକୁ ଜବତକରି ପୁଲିସ ବେତନଟୀ ଡାକ୍ତରଖାନାକୁ ଆଣିଥିବା ବେଳେ ଉଭୟ ଦୁର୍ଘଟଣାଗ୍ରସ୍ତ ଗାଡିକୁ ମଧ୍ୟ ଜବତ କରିଛି। ମଙ୍ଗଳବାର ଶବ ବ୍ୟବ‌ଚ୍ଛେଦ ହେବାନେଇ ବେତନଟୀ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।