ସିମୁଳିଆ: ଖୁଡ଼ିଙ୍କ ଦଶଦିନ ଶୁଦ୍ଧିକ୍ରିୟା ପାଇଁ ଗାଧୋଉଥିବା ବେଳେ ତିନି ଜଣ ପାଣିରେ ବୁଡ଼ି ଯାଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିଲା ବେଳେ ଅନ୍ୟ ୨ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ବାଲେଶ୍ବର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ଅବଜୁଣା ପଞ୍ଚାୟତର ସୋମନାଥପୁର(ସ୍ୱାଇଁସାହି)ରେ ଶୁକ୍ରବାର ପୂର୍ବାହ୍‌ଣରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତ ବ୍ୟକ୍ତି ‌ହେଲେ ମାନସ ରଂଜନ ସ୍ବାଇଁ (୨୩)। ଆଲୋକ ସ୍ବାଇଁ ଓ ତାପସ ସ୍ବାଇଁ ଘଟଣାସ୍ଥଳରୁ ଉଦ୍ଧାର ହୋଇଛନ୍ତି।

Advertisment

ସୂଚନା ଅନୁସାରେ ସିମୁଳିଆ ଥାନା ଅଧୀନ ସୋମନାଥପୁରରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିଲା। ଗୁରୁବାର ଦିନ ମୃତ ମହିଳାଙ୍କ ଉଦ୍ଦେଶ୍ୟରେ କଞ୍ଚୁଡ଼ି ନଦୀର ଶାଖା ନାଳରେ ଥିବା ପୋଲ ନିକଟ ଘାଟତୁଠରେ ଶୁଦ୍ଧିକ୍ରିୟା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ଗାଧୋଉ ଥିଲାବେଳେ ଗୋଡ଼ ଖସିବାରୁ ପ୍ରଥମେ ଆଲୋକ ସ୍ୱାଇଁ ଓ ତାପସ ସ୍ୱାଇଁ ପାଣିରେ ବୁଡ଼ି ଯାଇଥିଲେ। ତାଙ୍କୁ ଉଦ୍ଧାର କରିବାକୁ ଯାଇ ନିରଞ୍ଜନ ସ୍ବାଇଁଙ୍କ ପୁଅ ମାନସ ରଞ୍ଜନ ସ୍ବାଇଁ ଭାସି ଯାଇଥିଲେ।

publive-image

ଖବର ପାଇ ମଇତାପୁର ରାଜସ୍ବ ନିରୀକ୍ଷକ ତାପସ କୁମାର ସେଣ, ସିମୁଳିଆ ତହସିଲଦାର ବିଶ୍ୱନାଥ ବିଶ୍ୱାଳଙ୍କୁ ସୂଚନା ଦେଇଥିଲେ। ସିମୁଳିଆ ତହସିଲ କାର୍ଯ୍ୟାଳୟରେ ରାସ୍ତାରୁ ଗଛ କାଟି ରାସ୍ତା ଅବରୋଧକୁ ହଟାଉ ଥିବା ଅଡ଼ା ଦମକଳ କେନ୍ଦ୍ରର କର୍ମଚାରୀମାନଙ୍କୁ ନେଇସିମୁଳିଆ ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଦମକଳ ବାହିନୀ ତିନି ଜଣଙ୍କୁ ଉଦ୍ଧାର କରିଥିଲେ। ଗୁରୁତର ମାନସଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ମାନସଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଉଦ୍ଧାର କାର୍ଯ୍ୟରେ ସିମୁଳିଆ ତହସିଲଦାରଙ୍କ ସମେତ ମନୋରଞ୍ଜନ ବେହେରା ଓ ସ୍ଥାନୀୟ ସରପଞ୍ଚ ପ୍ରମୁଖ ସହଯୋଗ କରିଥିଲେ।