କଳାବାଡ଼ିଆ/ବାଙ୍ଗିରିପୋଷି: ୪୯ ନମ୍ବର ଜାତୀୟ ରାଜପଥର ବାଙ୍ଗିରିପୋଷି ବଜାର କଲକତା ଛକ ନିକଟରେ ଏକ ପଲ୍ସର୍ ବାଇକ୍ ଓ ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ଜଣ ଗୁରୁତର ଆହାତ ହୋଇଛନ୍ତି। ମୃତକ ହେଲେ ଅନିଲ ସିଂ (୩୫)।
ସୂଚନା ଅନୁଯାୟୀ; ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ସାନପଥରଖମ ଗ୍ରାମର ଶିବା ସିଂ (୨୫)ଙ୍କ ପୁଅର ଏକୋଇଶା କାର୍ଯ୍ୟକ୍ରମରେ ସାମିଲ ହେବାକୁ ରାଉରକେଲାରୁ ଆସିଥିଲେ ଭିଣୋଇ ଅନିଲ। ସେ ବାଙ୍ଗିରିପୋଷିରେ ପହଞ୍ଚିବା ପରେ ସେଠାରୁ ତାଙ୍କୁ ଘରକୁ ନେବାକୁ ଏକ ପଲ୍ସର୍ ବାଇକ୍ (ଓଡି-୧୧ଏଏଫ-୮୦୯୩)ରେ ପହଞ୍ଚିଥିଲେ ଶାଳକ ଶିବା ଓ ଶ୍ୟାମ। ସମସ୍ତେ ଉକ୍ତ ବାଇକ୍ରେ କଲକତା ଛକ ବସ୍ଷ୍ଟପ୍ ନିକଟସ୍ଥ ରାସ୍ତାରେ ସାନପଥରଖମ ଅଭିମୁଖେ ଯାଉଥିବା ବେଳେ ରଙ୍ଗ ରୁଟ୍ରେ ବିପରୀତ ଦିଗରୁ ଆସୁଥିବା ଓଆର-୦୧ଆର-୬୧୧୬ ନମ୍ବର ବିଶିଷ୍ଟ ଘରୋଇ ବସ୍ ‘ଯଶୋଦା’ ସେମାନଙ୍କୁ ସାମ୍ନାରୁ ଧକ୍କା ଦେଇଥିଲା। ଫଳରେ ବାଇକ୍ ଥିବା ୩ଜଣ; ରାସ୍ତା ମଝିରେ ଛିଟିକି ପଡିଥିଲେ। ଭିଣୋଇ ଅନିଲ ଘଟଣାସ୍ଥଳରେ ପ୍ରାଣ ହରାଇଥିବା ବେଳେ ଶିବା ଓ ଶ୍ୟାମ ଗୁରୁତର ଆହତ ହୋଇଥିଲେ। ଖବର ପାଇ ବାଙ୍ଗିରିପୋଷି ପୁଲିସ ଓ ଦମକଳ ବାହିନୀ ପହଞ୍ଚି ଆହତ ୨ ଜଣଙ୍କୁ ଉଦ୍ଧାର କରି ବାଙ୍ଗିରିପୋଷି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ବାରିପଦା ସ୍ଥାନାନ୍ତର କରାଯାଇଛି।
କଲକତା ଛକ ବସ୍ଷ୍ଟପ୍ ନିକଟସ୍ଥ ରାସ୍ତାରେ ସାନପଥରଖମ ଅଭିମୁଖେ ଯାଉଥିବା ବେଳେ ରଙ୍ଗ ରୁଟ୍ରେ ବିପରୀତ ଦିଗରୁ ଆସୁଥିବା ଓଆର-୦୧ଆର-୬୧୧୬ ନମ୍ବର ବିଶିଷ୍ଟ ଘରୋଇ ବସ୍ ‘ଯଶୋଦା’ ସେମାନଙ୍କୁ ସାମ୍ନାରୁ ଧକ୍କା ଦେଇଥିଲା।
ଏହି ଦୁର୍ଘଟଣା ପରେ କ୍ଷତିପୂରଣ ଦାବିରେ ମୃତାହତଙ୍କ ପରିବାର ଲୋକେ ବାଙ୍ଗିରିପୋଷି-ବିଶୋଇ ରାଜପଥ ଅବରୋଧ କରିଥିଲେ। ପ୍ରାୟ ୪ ଘଣ୍ଟା ଧରି ରାସ୍ତାରୋକ୍ ଯୋଗୁ ଯାତାୟାତ ଠପ୍ ହୋଇଯାଇଥିଲା। ଖବର ପାଇ ସଦର ଏସ୍ଡିପିଓ ସୁଜିତ କୁମାର ପ୍ରଧାନ, ଝାରପୋଖରିଆ ଥାନା ଅଧିକାରୀ ମୃତ୍ୟୁଞ୍ଜୟ ପ୍ରଧାନ, ବିଡିଓ ଶିବଶଙ୍କର ମୁର୍ମୁ, କୁଳିଅଣା ଅତିରିକ୍ତ ତହସିଲଦାର ଗଦାଧର ସେଠୀ ପ୍ରମୁଖ ୧ ପ୍ଲାଟୁନ୍ ଫୋର୍ସ ସହ ପହଞ୍ଚିଥିଲେ। ପ୍ରଶାସନ ତରଫରୁ ୨୦ ହଜାର ଟଙ୍କା ସହାୟତା, ଆହତଙ୍କୁ ମାଗଣା ଚିକିତ୍ସା ସହିତ କଲିକତା ଛକ ନିକଟରେ ନୂତନ ରାସ୍ତା ନିର୍ମାଣ ପାଇଁ ପ୍ରଶାସନ ପ୍ରତିଶ୍ରୁତି ଦେଇଥିଲା। ସାଂସଦ ନବଚରଣ ମାଝୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିଥିଲେ। ଏହାପରେ ରାସ୍ତାରୋକ୍ ହଟିଥିଲା ଓ ଯାତାୟାତ ସ୍ବାଭାବିକ ହୋଇଥିଲା।