ଜୟପୁର: ସଦରଥାନା ଅର୍ନ୍ତଗତ ଡଙ୍ଗରପାଉଁଶୀ ବାଗ୍ରା ଛକ ନିକଟରେ ଜାତୀୟରାଜପଥ ୩୨୬ରେ ସ୍ପିଡ୍‌ ବାଇକ ୟମହା ଆର-୧୫ରେ ନିଜେ ଦୁର୍ଘଟଣାଗ୍ରସ୍ତ ହୋଇ ବାଇକ ଚାଳକର ମୃତ୍ୟୁ ହୋଇଥିବା ବେଳେ ପଛରେ ବସିଥିବା ଆଉ ଦୁଇ  ଜଣ ଗୁରୁତର ଆହାତ ହୋଇଥିବା କହିଛନ୍ତି ଜୟପୁର ସଦରଥାନା ଅଧିକାରୀ ଇଶ୍ବର ତାଣ୍ଡି।

Advertisment

ମିଳିଥିବା ସୂଚନା ମୁତାବକ, ବୁଧବାର ବିଳମ୍ବିତ ରାତିରେ ବୈପାରୀଗୁଡା ଥାନା ଅର୍ନ୍ତଗତ ଦିଗାପୁର ଗାଁର ଚୈତନ୍ୟ ଗୌଡ଼ଙ୍କ ସହ ସେହି ଗାଁର ଅରୁଣ ନାୟକ, ଓ ଭକ୍ତ ଗୌଡ଼ ବାଇକରେ ଜାମୁଣ୍ଡାରୁ କୁନ୍ଦ୍ରା ଯାଉଥିଲେ। ଏମାନେ ଡଙ୍ଗରପାଉଁଶୀ ବାଗ୍ରା ନିକଟରେ ବାଇକରେ ନିଜେ ଅଚାନକ ଭାବେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଦୁର୍ଘଟଣା ପରେ ତିନି ଜଣ ବାଇକରୁ ତଳକୁ ଛିଟକି ପଡ଼ିଥିଲେ। ଘଟଣାସ୍ଥଳରେ ହିଁ ଚାଳକ ଚୈତନ୍ୟ ଗୌଡ଼ଙ୍କର ମୃତ୍ୟୁ ହୋଇଥିଲା। ଗୁରୁତର ଅବସ୍ଥାରେ ଅରୁଣ ଓ ଭକ୍ତଙ୍କୁ ଜୟପୁର ଜିଲ୍ଲାମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ଉଭୟଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ଉଭୟଙ୍କୁ ଉତ୍ତମ ଚିକିତ୍ସା ପାଇଁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ଡାକ୍ତରଖାନାକୁ ପଠାଯାଇଥିଲା। ସେଠାରେ ଉଭୟ ଚିକିତ୍ସାଧୀନ ରହିଥିବା କହିଛନ୍ତି ସଦରଥାନା ଅଧିକାରୀ।