ବିଷାକ୍ତ ଛତୁ ତରକାରି ଖାଇ ଜଣେ ମୃତ ଅନ୍ୟ ଚାରିଜଣ ଅସୁସ୍ଥ

ସମ୍ବଲପୁର: ବିଷାକ୍ତ ଛତୁରେ ପ୍ରସ୍ତୁତ ତରକାରି ଖାଇ ନାକଟିଦେଉଳ ବ୍ଲକ୍‌ର କିସିଣ୍ଡା ଥାନା ଅନ୍ତର୍ଗତ ହୀରାଲୋଇ କାଙ୍କଧର ଗାଁରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଏହି ତରକାରି ଖାଇଥିବା ଅନ୍ୟ ଚାରି ଜଣ ଅସୁସ୍ଥ ହୋଇପଡ଼ିଛନ୍ତି। ଅସୁସ୍ଥମାନଙ୍କ ମଧ୍ୟରୁ ଜଣଙ୍କର ସ୍ୱାସ୍ଥ୍ୟାବସ୍ଥା ସଙ୍କଟଜନକ ଥିବା କଥା ଡାକ୍ତରଖାନାସୂତ୍ରରୁ ପ୍ରକାଶ।

ମୃତ ବ୍ୟକ୍ତିଜଣକ ହେଉଛନ୍ତି ୭୦ ବର୍ଷିୟ ରମେଶ ଲୁଗୁନ। ଅସୁସ୍ଥ ବ୍ୟକ୍ତିମାନେ ହେଲେ ରମେଶଙ୍କ ପତ୍ନୀ ଅଞ୍ଜଳି, ୯ ବର୍ଷିୟ ବାଳକ ଅମନ ବାର୍ଲା, ୭ ବର୍ଷିୟ ବାଳକ ସିମନ୍‌ ବର୍ଲା ଏବଂ ସେମାନଙ୍କ ମାଆ ୩୦ ବର୍ଷିୟ ବେତିଆ ବର୍ଲା।

ଘଟଣାଟି ଘଟିଛି ଶନିବାର ସନ୍ଧ୍ୟା ବେଳେ। ଅମନଙ୍କ ବାପା ପ୍ରଫୁଲ୍ଲଙ୍କ କହିବା ଅନୁସାରେ, ରମେଶ ଜଙ୍ଗଲରୁ ମୟୂରଡିମ୍ବ ନାମକ ଛତୁ ଆଣି ତରକାରି ରାନ୍ଧିଥିଲେ। ପଡ଼ୋଶୀ ହିସାବରେ ତାଙ୍କ ଘରକୁ କିଛି ତରକାରି ଦେଇଥିଲେ। ଏହାକୁ ଖାଇବାର ୩୦ ମିନିଟ୍‌ ପରେ ସେମାନଙ୍କର ଜ୍ୱର ଓ ଝାଡ଼ାବାନ୍ତି ହୋଇଥିଲା। ଗ୍ରାମବାସୀମାନେ ସେମାନଙ୍କୁ ପ୍ରଥମେ କିଶିଣ୍ଡା ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ।

Image Source: Jstor Daily

ରମେଶଙ୍କ ସ୍ୱାସ୍ଥ୍ୟାବସ୍ଥା ସଂକଟାପନ୍ନ ଥିବାରୁ ସେଠାକାର ଡାକ୍ତରମାନେ ତାଙ୍କୁ ବୁର୍ଲାସ୍ଥିତ ବଡ଼ ଡାକ୍ତରଖାନା ପଠାଇଥିଲେ। କିନ୍ତୁ, ସେଠାକୁ ଯିବା ବାଟରେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା। ଏବେ ତାଙ୍କ ପତ୍ନୀ ଅଞ୍ଜଳି ବୁର୍ଲା ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି।

ଏବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଥିବା ବାକି ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି।

ସମ୍ବନ୍ଧିତ ଖବର