ସମ୍ବଲପୁର : ପୁଣି ଥରେ ରକ୍ତ ରଞ୍ଜିତ ହୋଇଯାଇଛି ସମ୍ବଲପୁର ସହର। ଶନିବାର ରାତି ପ୍ରାୟ ୧୦ଟା ସମୟରେ ସୁନାପାଲିର ଓରାମପଡ଼ା ନିକଟରେ ଦୁଇଜଣ ସାଙ୍ଗଙ୍କୁ କେହି ଭୁଜାଲି ମାଡ଼ କରି ହତ୍ୟା କରିବାକୁ ଉଦ୍ୟମ କରିଛି। ଦୁଇଜଣଙ୍କ ମଧ୍ୟରୁ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିବା ବେଳେ ଅନ୍ୟ ଜଣେ କୌଣସି ମତେ ପ୍ରାଣ ବଞ୍ଚାଇ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଘରକୁ ଫେରିଯାଇଥିଲେ।
ମିଳିଥିବା ସୂଚନା ଅନୁଯାୟୀ, ସରଲାକାନି ଅଞ୍ଚଳର ଗଣେଶ ଓରାମ୍(୨୦)ଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଲବ ଓରାମ୍ ଗୁରୁତର ଭାବେ ଆହତ ହୋଇଛନ୍ତି। ତାଙ୍କୁ ପିସିଆର୍ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବୁର୍ଲା ଭିମ୍ସାର୍କୁ ପଠାଯାଇଛି। ପୁଲିସ ଘଟଣାର ତଦନ୍ତ କରୁଥିବା ବେଳେ ଲବଙ୍କ ଚେତା ନଥିବା କାରଣରୁ କେଉଁ କାରଣରୁ ଘଟଣା ଘଟିଛି ତାହା ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ଅଛି।
ଲବଙ୍କ ମାମୁଙ୍କ ସୂଚନା ଅନୁଯାୟୀ ଲବ ଓ ଗଣେଶ ଏକାଠି ରଙ୍ଗ କାମ କରନ୍ତି। କାମ ସାରି ଘରକୁ ଫେରି ସାଙ୍ଗ ସହିତ ଲବ କୁଆଡ଼େ ବୁଲିବା ପାଇଁ ଯାଇଥିଲେ। ଆମେ ସବୁ ଘରେ ଶୋଇଥିଲୁ। ଲବ କେମିତି ଜୀବନ ବଞ୍ଚେଇକି ସେଠାରୁ ଚାଲି ଆସିଲେ। ଆମେ ଦେଖିଲା ବେଳକୁ ସେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଥିଲା। ସେ ବହୁତ ଜୋର୍ରେ ଚିତ୍କାର କରିବ ପରେ ଚେତା ପଲେଇ ଯାଇଥିଲା। ଏହାପରେ ପ୍ରଥମେ ଆମ୍ବୁଲାନ୍ସକୁ କଲ୍ କରିଥିଲୁ, ନମ୍ବର ନଲାଗିବାରୁ ପରେ ପିସିଆର୍କୁ ଫୋନ୍ କଲୁ। ପିସିଆର୍ ଲବକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ଲବଙ୍କ ଘର ସରଲାକାନି ଗାନ୍ଧୀ କଲୋନି ହୋଇଥିବା ବେଳେ ଗଣେଶଙ୍କ ଘର ସରଲାକାନି।