ଟାଙ୍ଗୀ : ବେଆଇନ ବାଲିଘାଟକୁ ନେଇ କଟକ ଜିଲ୍ଲା ଟାଙ୍ଗୀ ଗୋବିନ୍ଦପୁର ଅଞ୍ଚଳରେ ଦୀର୍ଘଦିନ ହେବ ବିବାଦ ଲାଗିରହିଥିବା ବେଳେ ରବିବାର ଦିନ ଉଗ୍ରରୂପ ନେଇଛି। ଦିନ ଦ୍ୱିପ୍ରହରରେ ଗୋବିନ୍ଦପୁର ଛକରେ ୭/୮ଜଣ ଯୁବକ ଦୁଇଜଣ ଯୁବକଙ୍କୁ ଭୁଜାଲି ଓ କଟୁରି ପ୍ରଭୃତି ମାରଣାସ୍ତ୍ରରେ ସଂଘବଦ୍ଧ ଆକ୍ରମଣ କରିଛନ୍ତି। ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ମୃତକ ହେଲେ ଟାଙ୍ଗୀ ଥାନା ଅନ୍ତର୍ଗତ ଜରିପଡ଼ା ମହାନ୍ତିସାହିର ବିଜ୍ଞାନ ଭୂଷଣ ମହାନ୍ତି ଓରଫ୍ ହାପି ଓ ଗୁରୁତର ଯୁବକ ଜଣକ ହେଉଛନ୍ତି ଜରିପଡା କୁମ୍ଭାରସାହିର ଦୀପକ ବେହେରା।
ସୂଚନା ମୁତାବକ, ରବିବାର ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟା ସମୟରେ ହାପି ଓ ଦୀପକ ଗୋବିନ୍ଦପୁର ଛକ ନିକଟରେ ଥିବା ଏକ ଜଳଖିଆ ଦୋକାନରେ ଖାଉଥିଲେ। ଏହି ସମୟରେ ୭/୮ଜଣ ଯୁବକ ସଂଘବଦ୍ଧ ଭାବେ ଦୋକାନ ଭିତରେ ପଶି ସେ ଦୁହିଁଙ୍କୁ ଆକ୍ରମଣ କରିଥିଲେ। ସେମାନେ ଯୁବକଦୁହିଁଙ୍କୁ ଦୋକାନ ଭିତରେ ନିସ୍ତୁକ ମାଡ଼ ମାରିବା ସହିତ ଭୁଜାଲି, କଟୁରିରେ ଆକ୍ରମଣ କରି ସାମ୍ନାରେ ଯାଇଥିବା ୧୬ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରେ ପକାଇ ଦେଇ ପଳାଇଥିଲେ। ଆକ୍ରମଣକାରୀ ଯୁବକମାନଙ୍କ ଧମକରେ ତୁରନ୍ତ ସ୍ଥାନୀୟ ଦୋକାନବଜାର ବନ୍ଦ ହୋଇଯାଇଥିଲା ଏବଂ ଏ ନେଇ କେହି ପାଟି ଖୋଲି ନଥିଲେ। ଖବର ପାଇ ଜାତୀୟ ରାଜପଥ ଆମ୍ବୁଲାନ୍ସ ଗୁରୁତର ଆହତ ଯୁବକ ଦୁଇଜଣଙ୍କୁ ଉଦ୍ଧାର କରି କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ତେବେ, ସେଠାରେ କିଛି ସମୟ ପରେ ଡାକ୍ତର ହାପିଙ୍କୁ ମୃତ ଘୋଷଣା କରିଥିବା ବେଳେ ଦୀପକ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି।
ସୂଚନାଯୋଗ୍ୟ, ଜରିପଡା ପଞ୍ଚାୟତ ଅନ୍ତର୍ଗତ ନାଳୀକୂଳ ବିରୂପା ନଦୀଘାଟରୁ ବେଆଇନ ବାଲି ଚାଲାଣକୁ କେନ୍ଦ୍ର କରି ହାପି ମହାନ୍ତି ଓ ସ୍ଥାନୀୟ ରସିକନଗର ଅଞ୍ଚଳର ଦୁର୍ଦାନ୍ତ ଅପରାଧୀ ମିଟୁ ମଧ୍ୟରେ ପୂର୍ବରୁ ବିବାଦ ଲାଗି ରହିଥିଲା। ମିଟୁ ଓ ତା ସହଯୋଗୀ ଏହି ଆକ୍ରମଣ କରିଥିବା ନେଇ ଅଞ୍ଚଳରେ ଚର୍ଚ୍ଚା ହେଉଛି। ଖବର ଲେଖା ହେବା ପର୍ଯ୍ୟନ୍ତ ଟାଙ୍ଗୀ ଥାନାରେ କୌଣସି ଅଭିଯୋଗ ହୋଇ ନଥିବା ଥାନା ଅଧିକାରୀ ସୁଚିତ୍ରବିର୍ଜ୍ୟ ଦାସ କହିଛନ୍ତି। ତେବେ, ସମସ୍ତ ଘଟଣା ଜଳଖିଆ ଦୋକାନ ଭିତରେ ଘଟିଥିବା ବେଳେ ଆକ୍ରମଣ ସମୟରେ ଠୋଲୋପେଲା ଯୋଗୁଁ ଦୋକାନର ଅନେକ ପ୍ଲାଷ୍ଟିକ୍ ଟେବୁଲ୍ ଓ ଚେୟାର୍ ଭାଙ୍ଗି ଯାଇଛି। ଏହି ସମୟରେ ଦୋକାନ ମାଲିକ ଓ ତାଙ୍କ ପୁଅ ଘଟଣାସ୍ଥଳରେ ଉପସ୍ଥିତ ଥିଲେ ବୋଲି ନିକଟସ୍ଥ ଜଣେ ଦୋକାନୀ ନିଜର ପରିଚୟ ଲୁଚାଇ ସୂଚନା ଦେଇଛନ୍ତି। ଆକ୍ରମଣକାରୀ ମିଟୁ ଓ ତା ସହଯୋଗୀ ଏକ ରାଜନୈତିକ ଦଳର ଛାମୁଆ ସଦସ୍ୟ ହୋଇଥିବାରୁ ପୁଲିସ ଉପରେ ଏହାକୁ ନେଇ ଚାପ ପଡୁଥିବା କୁହାଯାଉଛି।