ସ୍କୁଟିକୁ ଦଳିଦେଲା ଟ୍ରକ୍‌ : ନଣନ୍ଦ ମୃତ, ଭାଉଜ ଗୁରୁତର

ଖୋର୍ଧା : ଖୋର୍ଧା ନୂଆ ବସଷ୍ଟାଣ୍ଡ ନିକଟ ଭାଲିଆବାଡ଼ି ଛକଠାରେ ଆଜି ଅପରାହ୍ଣ ୩ଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି। ମୃତ ମହିଳାଙ୍କ ନାଁ ବିଜୟ ଲକ୍ଷ୍ମୀ ବିଶ୍ୱାଳ(୩୭) ଓ ତାଙ୍କ ଘର ଖୋର୍ଧା ବ୍ଲକ ଜଙ୍କିଆ ଥାନା ଅନ୍ତର୍ଗତ ଲେଖନପୁର ଗ୍ରାମରେ ବୋଲି ଜଣାପଡ଼ିଛି। ଆହତ ମହିଳାଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ୱରର ଏକ ଘରୋଇ ଚିକିତ୍ସାଳୟରେ ଭର୍ତ୍ତିି କରାଯାଇଛି। ଏହି ଦୁର୍ଘଟଣା ପରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକମାନେ ଟାୟାର ଜାଳି କିଛି ସମୟ ପାଇଁ ରାସ୍ତା ରୋକ କରିଥିଲେ। ପରେ ଟାଉନ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପରେ ଯାନବାହାନ ଚଳାଚଳ ସ୍ୱାଭାବିକ ହୋଇଥିଲା।

ମିଳିଥିବା ଖବର ଅନୁଯାୟୀ ଲେଖନପୁର ଗ୍ରାମର ଅଭିମନ୍ୟୁ ବିଶ୍ୱାଳଙ୍କ ପତ୍ନୀ ବିଜୟଲକ୍ଷ୍ମୀ ବିଶ୍ୱାଳ ଓ ତାଙ୍କ ଭାଉଜ ବୋଲଗଡ଼ ଥାନା ଅନ୍ତର୍ଗତ ଶଗଡ଼ଭଙ୍ଗା ଗ୍ରାମର ରଂଜନ ରଣସିଂହଙ୍କ ପତ୍ନୀ ଝରଣା ରଣସିଂହ(୩୨) ଆଜି ଅପରାହ୍ଣ ପ୍ରାୟ ୩ଟାରେ ଏକ ସ୍କୁଟି(ଓଡ଼ି୦୫ୱାଇ-୦୦୩୯)ରେ ଭାଲିଆବାଡ଼ିରୁ ଖୋର୍ଧା ବିଡ଼ିଏ କଲୋନିକୁ ଯାଉଥିଲେ। ସେମାନେ ଖୋର୍ଧା-ନୟାଗଡ଼ ରାସ୍ତା ପାର ହେଉଥିବା ସମୟରେ ନୟାଗଡ଼ ଅଭିମୁଖେ ଯାଉଥିବା ଏକ ଏକ ମିନି ଟ୍ରକ (ଓଡ଼ି୦୨ଏଏଫ୍‌-୩୮୦୦) ସ୍କୁଟିକୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ବିଜୟଲକ୍ଷ୍ମୀଙ୍କର ମୃତ୍ୟୁ ଘଟିଥିବା ବେଳେ ଗୁରୁତର ଅବସ୍ଥାରେ ଝରଣାଙ୍କୁ ଖୋର୍ଧା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା।

ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇବା ସହିତ ଲୋକେ ଟାୟାର ଜାଳି ରାସ୍ତା ରୋକ କରିଥିଲେ। ରାସ୍ତାରେ ହମ୍ପ୍‌ସ ନିର୍ମାଣ ଓ କ୍ଷତିପୂରଣ ଦାବିରେ ଲୋକେ ଏହି ରାସ୍ତାରୋକ କରିଥିଲେ। ସେହିପରି ଆହତଙ୍କର ଚିକିତ୍ସାରେ ବିଳମ୍ବ କାରଣରୁ କିଛି ସମୟ ପାଇଁ ଡାକ୍ତରଖାନାରେ ଉତ୍ତେଜନା ପ୍ରକାଶ ପାଇଥିଲା। ଖୋର୍ଧା ଟାଉନ ଥାନା ଆଇଆଇସି ରଂଜିତ କୁମାର ସାହୁ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିବା ପରେ ପରିସ୍ଥିତି ସ୍ୱାଭାବିକ ହୋଇଥିଲା। ପୁଲିସ ଗାଡ଼ି ଦୁଇଟିକୁ ଜବତ କରିବା ସହିତ ୫୦୬/୧୭ ନମ୍ବରରେ ଏକ ମାମଲା ରୁଜୁ କରି ଘଟଣା ତଦନ୍ତ କରୁଛି।

ସମ୍ବନ୍ଧିତ ଖବର