ପତ୍ରାପାଲି ଏନଏଚ ୪୯ ଉପରେ ଦୁର୍ଘଟଣା : ବିବାହ ପାଇଁ ଝିଅ ଦେଖିବାକୁ ଆସୁଥିଲେ, ସାଥୀ ମୃତ

କୁଚିଣ୍ଡା : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ନିକଟ ଏନଏଚ ୪୯ ଉପରେ ଶୁକ୍ରବାର ପୁଣି ଏକ ଦୁର୍ଘଟଣା ଘଟିଛି। ପତ୍ରାପାଲି ନିକଟରେ ଏହି ଦୁର୍ଘଟଣାରେ ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ବାଇକ୍‌ ଚାଳକ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

ସୂଚନା ଅନୁସାରେ, ଦେବଗଡ଼ ଜିଲ୍ଲା ରିଆମାଲ ବ୍ଲକ୍‌ ତେଲିମୁଣ୍ଡା ଅଞ୍ଚଳର ଦୁଇ ଜଣ ଯୁବକ ରୁଦ୍ରମଣି ସାହୁ (୨୫) ଓ ସରୋଜ ସାହୁ (୨୪) ଏକ ବାଇକରେ କୁଚିଣ୍ଡା ନିକଟସ୍ଥ କବରିବାହାଲ ଗ୍ରାମକୁ ଆସିଥିବା ବେଳେ ଦୁର୍ଘଟଣାଗସ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସରୋଜ ସାହୁ ଓରଫ କିରନଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ରୁଦ୍ରମଣି ସାହୁଙ୍କ ପାଇଁ ଝିଅ ଦେଖିବାକୁ ଉଭୟେ ବାଇକରେ ଆସୁଥିଲେ। ଦୁର୍ଘଟଣାରେ ସେ ସାମାନ୍ୟ ଆହତ ହୋଇଥିବା ବେଳେ ତାଙ୍କ ସାଥୀ ସରୋଜଙ୍କ ମୃତ୍ୟୁ ଘଟିଛି।

କୁଚିଣ୍ଡା-ଝାରସୁଗୁଡା ଜାତୀୟ ରାଜପଥ ୪୯ ପତ୍ରାପାଲି ନିକଟରେ ପିଚୁ ଲୋଡ ହୋଇ ଯାଉଥିବା ନିର୍ମାଣ ସଂସ୍ଥାର ଡମ୍ପର ଗାଡିକୁ ଅତିକ୍ରମ କରୁଥିଲେ। ଏହି ସମୟରେ ସମ୍ମୁଖ ପଟୁ ଏକ ମାରୁତି ପିକଅପ ଗାଡି ଆସୁଥିଲା। ବାଇକ୍‌ ପଛରେ ବସିଥିବା ସରୋଜ ସାହୁଙ୍କ ମୁଣ୍ଡରେ ଡମ୍ପର ଗାଡି ପିଟି ହୋଇଥିଲା। ମୁଣ୍ଡ ଫାଟି ସେ ଛିଟିକି ପଡିଥିଲା ଏବଂ ସେଠାରେ ତାଙ୍କ ପ୍ରାଣବାୟୁ ଚାଲି ଯାଇଥିଲା। କୁଚିଣ୍ଡାରୁ ୧୦୮ ଆମ୍ବୁଲାନ୍ସ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ଜଣକୁ କୁଚିଣ୍ଡା ଆଣିଥିଲେ। ଥାନାରେ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ ହୋଇଛି। ପୁଲିସ ଡମ୍ପର ଗାଡିକୁ ଥାନାରେ ଜବତ ରଖିଛି।

ସମ୍ବନ୍ଧିତ ଖବର