ବୋଲେରୋ ଧକ୍କାରେ ଜଣେ ମୃତ, ରାସ୍ତାରୋକ

ପଦ୍ମପୁର: କେନ୍ଦୁଝର ସଦର ଥାନା ଅନ୍ତର୍ଗତ ୨୦ ନମ୍ବର ଜାତୀୟ ରାଜପଥର ଜଡ଼ିଚାତର ନିକଟରେ ଆଜି ବୋଲେରୋ ଧକ୍କାରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ପଳାଶପଙ୍ଗା ପଞ୍ଚାୟତ ମୁରୁସୁଆଁ ଗ୍ରାମର ବସନ୍ତ କୁମାର ବାରିକ (୫୨)। ଦୁର୍ଘଟଣା ପରେ ମୃତକଙ୍କ ସମ୍ପର୍କୀୟ ଓ ଗ୍ରାମବାସୀ କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ କରିଥିଲେ।

ପ୍ରାପ୍ତ ସୂଚନା ଅନୁସାରେ, ଆଜି ଦିନ ପ୍ରାୟ ୧୧ଟାବେଳେ ଜଡ଼ିଚାତର ନିକଟରେ ଏକ ବୋଲେରୋ ମୁରସୁଆଁ ଗାଁର ବସନ୍ତ ବାରିକଙ୍କୁ ଧକ୍କା ଦେଇଥିଲା। ସ୍ଥାନୀୟ ଲୋକଙ୍କ ସହାୟତାରେ ବସନ୍ତଙ୍କୁ ଗୁରୁତର ଅବସ୍ଥାରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ପରେ ଉତ୍ତ୍ୟକ୍ତ ଲୋକେ ଦୁର୍ଘଟଣା ଘଟାଇଥିବା ଗାଡ଼ିକୁ ଧରିବା ଏବଂ କ୍ଷତିପୂରଣ ଦାବିରେ ରାଜପଥ ଅବରୋଧ କରିଥିଲେ। ଖବର ପାଇ ସଦର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ଦୁର୍ଘଟଣା ଦେଇଥିବା ଗାଡ଼ିଟି ଥାନାରେ ଆତ୍ମସମର୍ପଣ କରିଥିବା ନେଇ ସୂଚନା ଦେବା ପରେ ରାସ୍ତାରୋକ ହଟିଥିଲା। ଏନେଇ ପୁଲିସ କେସ ନମ୍ବର ୨୯୨/୨୨ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର