ନିର୍ମାଣାଧୀନ ଆପାର୍ଟମେଣ୍ଟରୁ ଖସିପଡ଼ି ରାଜମିସ୍ତ୍ରୀ ମୃତ

ଧଉଳି: ଭୁବନେଶ୍ବର ଉପକଣ୍ଠ ଉତ୍ତରା ଫାଣ୍ଡି ଅଧୀନ ଉତ୍ତରା ବେହେରା ସାହି ଅଞ୍ଚଳରେ ନିର୍ମାଣାଧିନ ଥିବା ଏକ ଆପାର୍ଟମେଣ୍ଟ ଭାରାରୁ ତଳକୁ ଖସିପଡ଼ି ଜଣେ ରାଜମିସ୍ତ୍ରୀର ମୃତ୍ୟୁ ହୋଇଯାଇଛି। ମୃତକ ହେଲେ ପଶ୍ଚିମବଙ୍ଗର ସେମାଦ ସେକ୍ (୨୫)। ସେମାଦଙ୍କ ମୁଣ୍ଡ ଓ ଶରୀର ଗଭୀର ଭାବେ କ୍ଷତାକ୍ତ ହୋଇଥିଲା। ସ୍ଥାନୀୟ ଲୋକଙ୍କ ସହାୟତାରେ ସହକର୍ମୀମାନେ ୧୦୮ ଆମ୍ବୁଲାନ୍ସକୁ ଡକାଇ ଚିକିତ୍ସା ଲାଗି କ୍ୟାପିଟାଲ ହସ୍ପିଟାଲକୁ ନେଇଥିଲେ। ହେଲେ ଡାକ୍ତର ହସ୍ପିଟାଲରେ ତାଙ୍କୁ ମୃତ ଘୋଷଣା କରିଥିଲେ।

ସୂଚନା ମିଳିବା ପରେ ଉତ୍ତରା ଫାଣ୍ଡି ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଏହାର ତଦନ୍ତ କରିଥିଲା। ସୂଚନା ଅନୁସାରେ ସ୍ଥାନୀୟ ବେହେରା ସାହିରେ ଜଣେ ବିଲ୍ଡର ୪ ମହଲା ବିଶିଷ୍ଟ ଆପାର୍ଟମେଣ୍ଟ ନିର୍ମାଣ କାର୍ଯ୍ୟ ଚଳାଇଛନ୍ତି। ପଶ୍ଚିମବଙ୍ଗର କିଛି ରାଜମିସ୍ତ୍ରୀ ଏବଂ ଶ୍ରମିକ ରହି ଘର କାମ କରୁଛନ୍ତି। ଆଜି ପୂର୍ବାହ୍ନରେ ସେମାଦ ବାଉଁଶ ଭାରା ଖୋଲୁଥିଲେ। ହେଲେ ଅସାବଧାନତାବଶତଃ ତଳକୁ ଖସିପଡ଼ିବା ଦେଖି ଉପସ୍ଥିତ ଶ୍ରମିକମାନେ ଚିତ୍କାର କରିଥିଲେ। ତଲକୁ ଓହ୍ଲାଇ ସେମାଦଙ୍କୁ ଉଦ୍ଧାର କରିଥିଲେ। ହେଲେ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ସେମାଦ ବଞ୍ଚିଥିବା ଭାବି କ୍ୟାପିଟାଲ ହସ୍ପିଟାଲକୁ ନେଇଥିଲେ। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା।

ସମ୍ବନ୍ଧିତ ଖବର