ସଂକୀର୍ତ୍ତନ ଦଳ ଉପରେ ମାଡ଼ିଗଲା କାର: ଜଣେ ମୃତ, ୪ ଗୁରୁତର

ପୁରୀ/ବ୍ରହ୍ମଗିରି : ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ରେବଣା ନୂଆଗାଁରେ ଶୁକ୍ରବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରେବଣା ନୂଆଗାଁର କିଛି ବ୍ୟକ୍ତି ସଂକୀର୍ତ୍ତନ କରୁଥିବା ବେଳେ ସାତପଡ଼ା ଆଡ଼ୁ ପୁରୀ ଅଭିମୁଖେ ଆସୁଥିବା ଏକ ଏରିଟିଗା ପଛପାର୍ଶ୍ବରୁ ମାଡ଼ିଯିବାରୁ ଜ‌ଣଙ୍କର ମୃତ୍ୟୁ ହୋଇଥିବାବେଳେ ୪ଜଣ ଗୁରୁତର ଅବସ୍ଥାରେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ପବିତ୍ର ମକର ସଂକ୍ରାନ୍ତି ଏଭଳି ଅଘଟଣ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି କରିଛି। ଏହାକୁ ନେଇ ଚାପା ଉତ୍ତେଜନା ପ୍ରକାଶ ପାଇଥିବାବେଳେ ବ୍ରହ୍ମଗିରି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରିବା ସହ ଡ୍ରାଇଭର ଓ ଅନ୍ୟ ଯାତ୍ରୀଙ୍କୁ ଅଟକ ରଖିଛି। ଗାଡ଼ିଟି ଏତେ ଜୋରରେ ଏକ ବିଦ୍ୟୁତ୍‌ ଖୁଣ୍ଟରେ ପିଟିଛି ଯେ ଏହା ୬ ଗଡ଼ ହୋଇଯାଇଛି। ଫଳରେ ସଂପୂର୍ଣ୍ଣ ରେବଣା ନୂଆଗାଁ ଆଜି ବିଳମ୍ବିତ ରାତି ପର୍ଯ୍ୟନ୍ତ ଅନ୍ଧାର ଭିତ‌ରେ ରହିଛି।

ମିଳିଥିବା ସୂଚନା ମୁତାବକ, ପ୍ରତିଦିନ ଭଳି ରେବଣା ନୂଆଗାଁର କିଛି ମୁରବୀ ଶ୍ରେଣୀର ବ୍ୟକ୍ତି ଆଜି ରାତି ପ୍ରାୟ ୮ଟା ୨୦ରେ ଝାଞ୍ଜ, ମୃଦଙ୍ଗ ସହ ଲଣ୍ଠନ ଧରି ସଂକୀର୍ତ୍ତନ କରି ଗାଁ ପରିକ୍ରମା କରୁଥିଲେ। ଆଜି ଯେହେତୁ ମକର ସଂକ୍ରାନ୍ତି ଥିଲା, ସେଥିପାଇଁ ଅଧିକ ଲୋକ ଜମା ହୋଇଥିଲେ। ଗାଁ ଭିତର ଦେଇ ଯାଇଥିବା ଜାତୀୟ ରାଜପଥ କଡ଼ରେ ବାମପାର୍ଶ୍ବରେ ଏମାନେ ସଂକୀର୍ତ୍ତନ କରି ଯିବାବେଳେ ସାତପଡ଼ାରୁ ପିକନିକ୍‌ ସାରି ଫେରୁଥିବା ଓଡି-୧୩ସି-୬୨୨୬ ଏର୍ଟିଗା ଗାଡ଼ି ପଛପାର୍ଶ୍ବରୁ ସମସ୍ତଙ୍କ ଉପରେ ମାଡ଼ି ଯାଇଥିଲା। ଏଥିରେ ରେବଣା ନୂଆଗାଁର ଜଗନ୍ନାଥ ସାହୁ(୬୨), ଦୁଃଖୀଶ୍ୟାମ ମିସ୍ତ୍ରୀ(୬୫), ଗଗନ ମିସ୍ତ୍ରୀ(୪୫), ପ୍ରତାପ ଚନ୍ଦ୍ର ବାରିକ(୫୦) ଓ କୃଷ୍ଣ ଚନ୍ଦ୍ର ମିସ୍ତ୍ରୀ(୫୦) ଗୁରୁତର ହୋଇଥିଲା। ସମସ୍ତଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। କାହାର ହାତ ତ କାହାର ଗୋଡ଼ ଭାଙ୍ଗିଯାଇଥିଲା। କିଛି କ୍ଷଣ ଭିତରେ ଦୁର୍ଘଟଣାସ୍ଥଳ ରକ୍ତରଂଜିତ ହୋଇଯାଇଥିଲା। ପରେ ଆମ୍ବୁଲାନ୍ସ ଯୋଗେ ଗୁରୁତରଙ୍କୁ ରେବଣା ନୂଆଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଜଗନ୍ନାଥ ସାହୁଙ୍କର ମୃତ୍ୟୁ ‌ହୋଇଯାଇଛି।

ସମ୍ବନ୍ଧିତ ଖବର