ରାଉରକେଲା: ସେକ୍ଟର-୨୦ ରାଉରକେଲା କ୍ଲବ ଛକ ନିକଟରେ ଆଜି ମୋଟରବାଇକ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ରାସ୍ତାରେ ଯାଉଥିବା ପିକ୍‌ଅପ୍‌କୁ ପଛରୁ ଧକ୍କା ଦେବାରୁ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ମୃତକ ଜଣକ ହେଲେ ଛେଣ୍ଡ କଲୋନିର ପରମାନନ୍ଦ ସ୍ବାଇଁ (୨୩)। ଗୁରୁତର ରାହୁଲଙ୍କୁ ଇସ୍ପାତ ଜେନେରାଲ ହସ୍ପିଟାଲ (ଆଇଜିଏଚ୍‌) ଆଇସିୟୁରେ ଭର୍ତ୍ତି କରାଯାଇଛି। ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି। ସେକ୍ଟର-୩ ପୁଲିସ ଦୁର୍ଘଟଣାଗ୍ରସ୍ତ ମୋଟରବାଇକ୍‌ ଓ ପିକ୍‌ଅପ୍‌କୁ ଜବତ କରିଛି। ପରମାନନ୍ଦଙ୍କ ଶବ ଜବତ କରି ପରିବାରକୁ ହସ୍ତାନ୍ତର କରି ପୁଲିସ ସହ ଘଟଣାର ତଦନ୍ତ ଚଳାଇଛି। ମିଳିଥିବା ସୂଚନା ମୁତାବକ ପରମାନନ୍ଦ ଓ ରାହୁଲ ଦୁଇ ସାଙ୍ଗ। ରାହୁଲ ଛେଣ୍ଡ ବାଗ୍‌ବୁଡି ବସ୍ତି ନିକଟସ୍ଥ ପ୍ଲୁଟନ୍‌ ମଲ୍‌ରେ କାମ କରନ୍ତି। ପରମାନନ୍ଦ ଛେଣ୍ଡରେ ତାଙ୍କ ବାପାଙ୍କ ଦୋକାନ ସମ୍ଭାଳନ୍ତି। ଆଜି ଦୁହେଁ ମୋଟରବାଇକ୍‌ରେ ରିଂ ରୋଡ ଦେଇ ଘରକୁ ଫେରୁଥିଲେ। ରିଂରୋଡର ସେକ୍ଟର-୩ ଓ ସେକ୍ଟର-୨୦ ମଧ୍ୟରେ ରାସ୍ତାରେ ଯାଉଥିବା ପିକ୍ଅପ୍‌କୁ ପଛରୁ ଧକ୍କା ଦେଇଥିଲେ। ଦ୍ରୁତ ଗତିରେ ଥିବାରୁ ମୋଟରବାଇକ୍‌ ପିକ୍‌ଅପ୍‌ ଭିତରେ ପଶିଯାଇଥିଲା। ଫଳରେ ଘଟଣାସ୍ଥଳରେ ପରମାନନ୍ଦଙ୍କ ମୃତ୍ୟୁ ହୋଇଯାଇଥିଲା। ସ୍ଥାନୀୟ ଲୋକ ରାହୁଲଙ୍କୁ ଉଦ୍ଧାର କରି ଆଇଜିଏଚ୍‌କୁ ପଠାଇଥିଲେ।