ବୈପାରିଗୁଡା: ଅଟୋ ଓଲଟି ପଡିବା ଫଳରେ ଜଣକର ମୃତ୍ୟୁ ହୋଇଯାଇଥିବା ବେଳେ ଅନ୍ୟ ତିନି ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି। ସୂଚନା ଅନୁଯାୟୀ, ବୈପାରିଗୁଡା ବ୍ଲକ ଅନ୍ତର୍ଗତ କୋଲାର ପଞ୍ଚାୟତର ଭାଲୁବେଡା ଗ୍ରାମର କମଳା କନ୍ତରି (୪୦) ଶାଶୁଙ୍କ ମୃତ୍ୟୁ ଖବର ପାଇ ନିକଟସ୍ଥ ଜଟିଆଗୁଡା ଗ୍ରାମକୁ ଯାଇ ସତ୍କାର କାର୍ଯ୍ୟରେ ଯୋଗଦେଇ ଘରେ ପହଞ୍ଚିବାପରେ ଆଉ ଗୋଟିଏ ଖବର ପାଇଲେ ଯେ କୋରାପୁଟ ନିକଟସ୍ଥ ରାଣୀଗଡର କେନ୍ଦାରୀ ଗ୍ରାମରେ କମଳାଙ୍କର ସଂପର୍କୀୟଙ୍କ ଦେହାନ୍ତ ହୋଇଯାଇଛି।
ତେବେ କମଳା କନ୍ତରି ଏକ ଅଟୋ ଯୋଗେ କନ୍ଦାରୀ ଗ୍ରାମ ଯିବାପାଇଁ ବାହାରିଥିଲା। ତାଙ୍କ ସହିତ ମାଣିକ ଗୈାଡ (୬୦), ମଣି ଘିରଲିଆ(୫୫), ରାମଚନ୍ଦ୍ର କନ୍ତରୀ(୩୫) ଏବଂ ସାବିତ୍ରୀ ଗୈାଡ(୪୦) ମଧ୍ୟ ଅଟୋରେ ଯାଉଥିଲେ। ତେବେ ରାଞ୍ଚି ବିଜୟଓ୍ଡାଡା ୩୨୬ ନମ୍ବର ଜାତୀୟ ରାଜପଥର ବିଚଲକୋଟା ନିକଟରେ ଡ୍ରାଇଭର ନିୟନ୍ତ୍ରଣ ହରାଇବାରୁ ଅଟୋଟି ରାସ୍ତା ଉପରେ ଓଲଟି ପଡିଥିଲା। ଏହି ଦୁର୍ଘଟଣାରେ କମଳା କନ୍ତରି (୪୦)ଙ୍କ ସମେତ ମାଣିକ, ମଣି ଏବଂ ରାମଚନ୍ଦ୍ର ଗୁରୁତର ଭାବେ ଆହତ ହୋଇଥିଲେ।
ବିଚଲକୋଟା ଗ୍ରାମର କେଦାର ଗୌରୀ ଦାସ ଘଟଣା ସମ୍ପର୍କରେ ବୈପାରିଗୁଡା ପୁଲିସ ଏବଂ ଆମ୍ବୁଲାନ୍ସକୁ ଖବର ଦେଇଥିଲେ। ବୈପାରିଗୁଡା ଥାନା ଏସ୍ଏଆଇ କୈଳାସ ଚନ୍ଦ୍ର ସେଠୀ ଏବଂ ଏଏସ୍ଆଇ ଶିବ ଶଙ୍କର ନାୟକ ଘଟଣାସ୍ଥଳରେ ପହଞ୍ଚି ଆହତ ମାନଙ୍କୁ ଆମ୍ବୁଲାନ୍ସ ଯୋଗେ ଜୟପୁର ଜିଲ୍ଲା ହସପିଟାଲକୁ ଚିକିତ୍ସା ନିମନ୍ତେ କମଳା, ମାଣିକ,ମଣି ଏବଂ ରାମଚନ୍ଦ୍ରକୁ ପଠାଇଥିଲେ। ତେବେ ଚିକିତ୍ସାଧିନ ଅବସ୍ଥାରେ କମଳାଙ୍କର ମୃତ୍ୟୁ ହୋଇଯାଇଥିବା ଜଣାପଡ଼ିଛି। ପୁଲିସ ଦୁର୍ଘଟଣାଗ୍ରସ୍ତ ଅଟୋକୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।